ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୩ – ୨୪ କେନ୍ଦ୍ରୀୟ ବଜେଟରେ ଦିବ୍ୟାଙ୍ଗମାନଙ୍କ ପାଇଁ କ’ଣ ଅଛି? ଏ ପ୍ରସଙ୍ଗରେ ବିସ୍ତୃତ ଭାବେ କହିଛନ୍ତି ସମାଜସେବୀ ତଥା ‘ସ୍ୱାଭିମାନ’ର ପ୍ରତିଷ୍ଠାତା ଡକ୍ଟର ଶ୍ରୁତି ମହାପାତ୍ର।

‘‘ଫେବ୍ରୁଆରି ୨ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଥିଲେ। ଏଥର ବଜେଟ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ୧୫୦ କୋଟି ଟଙ୍କା ଘୋଷଣା କରାଯାଇଛି, ଯାହାକି ୨୦୨୨-୨୩ ବଜେଟ୍‌ ତୁଳନାରେ କମ୍‌। ଗତ ବଜେଟ୍‌ରେ ଦିବ୍ୟାଙ୍ଗ ପାଇଁ ୨୪୦ କୋଟି ଟଙ୍କା ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏ ବର୍ଷ ସେଥିରୁ ୯୦ କୋଟି ଟଙ୍କା କାଟି ଦିଆଯାଇଛି। ତେଣୁ ଏଥର ବଜେଟ୍‌ ଦିବ୍ୟାଙ୍ଗମାନଙ୍କ ଲାଗି ଅନୁକୂଳ ନୁହେଁ’’, କହିଛନ୍ତି ସମାଜସେବୀ ତଥା ‘ସ୍ୱାଭିମାନ’ର ପ୍ରତିଷ୍ଠାତା ଡକ୍ଟର ଶ୍ରୁତି ମହାପାତ୍ର।

ବଜେଟ୍‌ରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା ନାହିଁ

ଦିବ୍ୟାଙ୍ଗମାନଙ୍କ ପାଇଁ ସରକାର ଯେଉଁ ବଜେଟ୍‌ ଘୋଷଣା କରନ୍ତି, ତାହା ରାଇଟ୍ସ ଅଫ୍‌ ପର୍ସନ ଓ୍ୱିଥ୍‌ ଡିଜାବିଲିଟି ଆକ୍ଟ ବା ଦିବ୍ୟାଙ୍ଗ ଅଧିକାର ଆଇନ ଅଧୀନରେ ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଏ। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସିନେମା ହଲ୍‌, ପାର୍କ ସବୁ ସ୍ଥାନରେ ଦିବ୍ୟାଙ୍ଗମାନଙ୍କ ଲାଗି ବିଶେଷ ସୁବିଧାକୁ ସୁନିଶ୍ଚିତ କରିବା ଏହି ଆଇନର ମୂଳ ଉଦ୍ଦେଶ୍ୟ। କେବଳ ସେତିକି ନୁହେଁ, ଦିବ୍ୟାଙ୍ଗମାନେ ଏବେ ବି ସର୍ବସାଧାରଣ ଗମନାଗମନ ବ୍ୟବସ୍ଥାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ବସ୍‌ର ଆବଶ୍ୟକତା ରହିଛି, ଯାହାଦ୍ୱାରା ସେମାନେ ସହଜରେ ବସ୍‌ ଚଢ଼ିପାରିବେ ଓ ସେମାନଙ୍କ ଗମନାଗମନ ସହଜ ହୋଇପାରିବ।  କିନ୍ତୁ ଚଳିତ ବର୍ଷ ଘୋଷଣା ହୋଇଥିବା ବଜେଟରେ ତାହା ଫଳବତୀ ହେବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଡକ୍ଟର ଶ୍ରୁତି ମହାପାତ୍ର।

ଦିବ୍ୟାଙ୍ଗମାନଙ୍କ ସ୍ୱାସ୍ଥ୍ୟକୁ ଫୋକସରେ ରଖିନାହାନ୍ତି ସରକାର

‘‘ଦିବ୍ୟାଙ୍ଗମାନଙ୍କ ସ୍ୱାସ୍ଥ୍ୟ ଉପରେ ସରକାର ବିଶେଷ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ମହାମାରୀ କୋଭିଡ୍‌ ପରେ ଏହା ଆହୁରି ଜରୁରୀ ହୋଇପଡ଼ିଛି। ଆଜିର ଦିନରେ ମାନସିକ ରୋଗ ମଧ୍ୟ ଏକ ବଡ଼ ସମସ୍ୟା ଭାବେ ଠିଆ ହୋଇଛି। ସାଧାରଣ ଲୋକ ଓ ଦିବ୍ୟାଙ୍ଗ ସମସ୍ତେ ମାନସିକ ସମସ୍ୟା ଦେଇ ଗତି କରୁଛନ୍ତି। କିନ୍ତୁ ଚଳିତ ବଜେଟରେ ଦିବ୍ୟାଙ୍ଗମାନଙ୍କ ସ୍ୱାସ୍ଥ୍ୟ, ବିଶେଷକରି ମାନସିକ ରୋଗର ଚିକିତ୍ସା କ୍ଷେତ୍ରରେ ସେଭଳି କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବା ଯୋଜନାର ଘୋଷଣା ହୋଇନାହିଁ’’, କହିଛନ୍ତି ଡକ୍ଟର ଶ୍ରୁତି ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଦିବ୍ୟାଙ୍ଗମାନଙ୍କ ଲାଗି କାମ କରୁଥିବା ‘ଦ ନ୍ୟାସନାଲ ଟ୍ରଷ୍ଟ’ ୪ପ୍ରକାର ଭିନ୍ନକ୍ଷମ ଅବସ୍ଥା ଯଥା – ସେରିବ୍ରାଲ ପାଲସି, ଅଟିଜିମ, ଇଣ୍ଟେଲେକ୍‌ଚୁଆଲ ଡିଜାବିଲିଟି ଓ ମଲ୍ଟିପଲ୍‌ ଡିଜାବିଲିଟିରେ ପୀଡ଼ିତ ଲୋକମାନଙ୍କ ପାଇଁ କାର୍ଯ୍ୟ କରିଥାଏ। ସେହିପରି ‘ରିହାବିଲିଟେସନ କାଉନସିଲ ଅଫ୍‌ ଇଣ୍ଡିଆ’ ଦିବ୍ୟାଙ୍ଗଙ୍କ ପୁନର୍ବାସ କ୍ଷେତ୍ରରେ କାର୍ଯ୍ୟ କରେ। ଏହାରି ଅଧୀନରେ ବିଭିନ୍ନ ପ୍ରଫେସନାଲ ଯଥା ଫିଜିଓଥେରାପିଷ୍ଟ, ସ୍ପିଚ୍‌ ଥେରାପିଷ୍ଟ, ସ୍ପେଶାଲ ଏଡୁକେଟରମାନଙ୍କୁ ତାଲିମ ଦିଆଯାଏ।  କିନ୍ତୁ ଦିବ୍ୟାଙ୍ଗମାନଙ୍କ ଲାଗି କାର୍ଯ୍ୟ କରୁଥିବା ଏହି ଦୁଇଟି ସଂସ୍ଥା ପାଇଁ ସେମିତି କିଛି ଆଖିଦୃଶିଆ ଅନୁଦାନ ଘୋଷଣା କରାଯାଇନାହିଁ’’।

ବଜେଟ୍‌ରେ ବଢ଼ିନି ପେନସନ୍‌ ରାଶି, ଦିବ୍ୟାଙ୍ଗ ନିରାଶ

ଏଥର ପେନସନ୍‌ ଉପରେ ସମସ୍ତଙ୍କ ନଜର ଥିଲା। ଆଶା ଥିଲା, ଦିବ୍ୟାଙ୍ଗମାନଙ୍କୁ ସରକାର ଦେଉଥିବା ଭତ୍ତା ବା ପେନସନ ପରିମାଣରେ (୩୦୦ ଟଙ୍କା) ଏଥର ବୃଦ୍ଧି ହେବ। କିନ୍ତୁ ତାହା ମଧ୍ୟ ଅପରିବର୍ତ୍ତିତ ରହିଛି। ଦୁଃଖର କଥା, ୨୦୧୧ ଜନଗଣନା ଅନୁସାରେ ଭାରତର ମୋଟ ଦିବ୍ୟାଙ୍ଗ ଜନସଂଖ୍ୟା ମଧ୍ୟରୁ ମାତ୍ର ୩.୮ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ଏହି ପେନସନ ପାଉଛନ୍ତି। କାହାର ପରିବାରରେ କେହି ଦିବ୍ୟାଙ୍ଗ ଥିଲେ, ସେମାନଙ୍କ ଲାଗି ମେଡିକାଲ ଖର୍ଚ୍ଚ, ସହାୟକ ଉପକରଣ ଆଦି ବିଭିନ୍ନ କାରଣରୁ ଘରର ଖର୍ଚ୍ଚ ବଢ଼ିଯାଏ। ତେଣୁ ସରକାର ଦିବ୍ୟାଙ୍ଗମାନଙ୍ଗ ପେନସନ ରାଶିକୁ ବୃଦ୍ଧି କରିବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି।

ଦିବ୍ୟାଙ୍ଗଙ୍କ ପାଇଁ ସହାୟକ ଉପକରଣ ହେଉ ଟ୍ୟାକ୍ସ ଫ୍ରି

ଦିବ୍ୟାଙ୍ଗ ଲୋକଙ୍କ ପାଇଁ ହ୍ୱିଲ ଚେୟାର ବା ଅନ୍ୟ ସହାୟକ ଉପକରଣ ହେଉଛି ସେମାନଙ୍କ ହାତ ଗୋଡ଼। ଏହି ଉପକରଣ ନଥିଲେ, ସେମାନଙ୍କ ଜୀବନ କଷ୍ଟକର ହୋଇପଡ଼େ। ଭାରତରେ ଦିବ୍ୟାଙ୍ଗଙ୍କ ଲାଗି ଅତ୍ୟାଧୁନିକ ସହାୟକ ଉପକରଣ ଏଯାବତ୍‌ ସହଜଲବ୍ଧ ହୋଇପାରିନାହିଁ। ଏବେବି ତାହା ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି। ଏଥିପାଇଁ ଅଧିକ ଟ୍ୟାକ୍ସ ବା କର ଦେବାକୁ ପଡ଼ୁଛି । ଅଧିକାଂଶ ଦିବ୍ୟାଙ୍ଗ ଏଭଳି ଉପକରଣ କିଣିପାରନ୍ତି ନାହିଁ। ତେଣୁ ଡକ୍ଟର ଶ୍ରୁତି ମହାପାତ୍ର ଦିବ୍ୟାଙ୍ଗଙ୍କ ସହାୟକ ଉପକରଣଗୁଡ଼ିକ ଉପରୁ ଆମଦାନୀ କରକୁ ହଟାଇ ଦେବା ପାଇଁ ମତ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଆମ ଦେଶରେ ବିଭିନ୍ନ ଷ୍ଟାର୍ଟଅପ୍‌ ସଂସ୍ଥା ଦିବ୍ୟାଙ୍ଗମାନଙ୍କ ପାଇଁ ଏହି ଉପକରଣ ତିଆରି କରିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ମଧ୍ୟ ଟ୍ୟାକ୍ସ ଫ୍ରି କରିବା ଜରୁରୀ।

କେବଳ ସେତିକି ନୁହେଁ,  ବର୍ତ୍ତମାନ ସମୟରେ ଦିବ୍ୟ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଠପଢ଼ା କ୍ଷେତ୍ରରେ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରମୁଖ ଭୂମିକା ନେଉଛନ୍ତି। ତେଣୁ ସରକାର ତାଙ୍କ ବଜେଟ୍‌ରେ ସେମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଘୋଷଣା କରିବାର ଆବଶ୍ୟକତା ରହିଛି। ତା’ ଛଡ଼ା ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍‌ ବା ଛାତ୍ରବୃତ୍ତିର ଆବଶ୍ୟକତା ରହିଥାଏ। ଏବେ ସେମାନଙ୍କୁ ଯେଉଁ ଛାତ୍ରବୃତ୍ତି ମିଳୁଛି, ତା’ ଖୁବ୍‌ କମ। ତେଣୁ ଏହି ଛାତ୍ର ବୃତ୍ତି ବୃଦ୍ଧି ହେଲେ ଦିବ୍ୟାଙ୍ଗ ପିଲାମାନେ ବିଶେଷ ଉପକୃତ ହୋଇପାରିବେ।

ଦିବ୍ୟାଙ୍ଗଙ୍କ ବିଭିନ୍ନ ଅଧିକାରର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ରହିଛି ସତ, କିନ୍ତୁ ଏଥିପାଇଁ ବଜେଟ୍‌ରେ ବିଶେଷ ବ୍ୟବସ୍ଥା ନରହିଲେ ଏହି ଆଇନ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ତେଣୁ କେନ୍ଦ୍ରୀୟ ବଜେଟ୍‌ରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ଡକ୍ଟର ଶ୍ରୁତି ମହାପାତ୍ର।

Comment