ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଫେବ୍ରୁଆରି ୧ରୁ ୩ ତାରିଖ ଯାଏଁ ବିଜେପି ଆରମ୍ଭ କରିବାକୁ ଯାଉଛି ତିନି ଦିନିଆ ଜାତୀୟ ଜନଜାତି ସମ୍ମିଳନୀ। ବିଜେପ ଜନଜାତି ମୋର୍ଚ୍ଚା ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ ବିଜେପି ରାଷ୍ଟ୍ରୀୟ ଏସ୍‌ଟି ମୋର୍ଚ୍ଚାର ଅଧ୍ୟକ୍ଷ ତଥା ସାଂସଦ ରାମବିଚାର ନେତମ ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସମ୍ମିଳନୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ସମ୍ମିଳନୀରେ ଯୋଗ ଦେବେ ୫ ହଜାର ପ୍ରତିନିଧି

ଅନୁସୂଚିତ ଜନଜାତି ବର୍ଗଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ଏସ୍‌ଟି ମୋର୍ଚ୍ଚା ସାରା ଦେଶରେ କାମ କରୁଛି। ଏହି କ୍ରମରେ ଓଡ଼ିଶାରେ ଫେବ୍ରୁଆରି ୧ରୁ ୩ ତାରିଖ ଯାଏଁ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବର୍ଗର ଲୋକମାନେ କେନ୍ଦ୍ରୀୟ ଯୋଜନାର ଲାଭ ପାଉଛନ୍ତି କି ନାହିଁ ସେ ବିଷୟରେ ଆଲୋଚନା କରାଯିବ ବୋଲି ଶ୍ରୀ ନେତମ୍ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

“ତିନି ଦିନ ଧରି ଚାଲିବାକୁ ଥିବା ସମ୍ମିଳନୀରେ ସାରା ଦେଶରୁ ପ୍ରାୟ ୫ ହଜାର ପ୍ରତିନିଧି ଯୋଗ ଦେବେ। ଏହି ସମ୍ମିଳନୀରେ ଆସାମ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ତ୍ରିପୁରାର ଉପ ମୁଖ୍ୟମନ୍ତ୍ରୀ ଯୋଗ ଦେବେ”, କହିଛନ୍ତି ରାମବିଚାର ନେତମ।

୩ରେ ଆସିବେ ଅମିତ ଶାହ

୧ ତାରିଖରେ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଟିମ୍‌ର ବୈଠକ ବସିବ। ଏହି ବୈଠକରେ ଜନଜାତି ବର୍ଗର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଏଜେଣ୍ଡା ତିଆରି କରାଯିବ। ୨ ଏବଂ ୩ ତାରିଖରେ ଦଳୀୟ ପଦାଧିକାରୀମାନଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ୩ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏହି ସମ୍ମିଳନୀରେ ଯୋଗ ଦେଇ ଉଦବୋଧନ ଦେବେ। ଏହି ସମ୍ମିଳନୀରେ ଯେଉଁ ନିଷ୍କର୍ସ ବାହାରିବ ଆମେ ତାକୁ ନେଇ ଜନଜାତି ଅଞ୍ଚଳକୁ ଯିବୁ ବୋଲି କହିଛନ୍ତି ରାମବିଚାର ନେତମ୍।

ଓଡ଼ିଶାରେ ଜନଜାତିଙ୍କୁ ହକ୍‌ ମିଳିନି

“ଗତ ୧୮ ବର୍ଷ ଧରି ଓଡ଼ିଶାରେ ବିଜେଡି ଶାସନ କରୁଛି। ଏହା ପୂର୍ବରୁ କଂଗ୍ରେସ ଏଠାରେ ଶାସନ କରୁଥିଲା। କିନ୍ତୁ ଆଦିବାସୀମାନଙ୍କ ପାଇଁ ଏହି ଦୁଇ ଦଳ କିଛି କରି ନାହାନ୍ତି। ଆଦିବାସୀ ଲୋକମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି। ୬୦ ପ୍ରତିଶତ ଆଦିବାସୀଙ୍କୁ ଜମି ପଟ୍ଟା ଦିଆଯାଇଛି କିନ୍ତୁ ସେମାନଙ୍କ ପାଖରେ ଜମିର ମାଲିକାନା  ନାହିଁ। ଏହି ସବୁ ସମସ୍ୟାକୁ ନେଇ ଆମେ ଲୋକମାନଙ୍କ ପାଖକୁ ଯିବୁ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ରାମବିଚାର ନେତମ୍।

ଅସ୍ତିତ୍ୱ ହରାଇବ ବିଜେଡି

ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ ବୋଲି ଦୃଢ଼ତାର ସହ କହିଛନ୍ତି ରାମବିଚାର ନେତମ୍। ସେ କହିଛନ୍ତି ଯେ ଓଡ଼ିଶାରେ କଂଗ୍ରେସ ଯଦି ସୁଦୃଢ଼ ହୁଏ ତେବେ ବିଜୁ ଜନତା ଦଳ ଅସ୍ତିତ୍ୱ ହରାଇବ। ଏହାର ଫାଇଦା ଭାରତୀୟ ଜନତା ପାର୍ଟିକୁ ମିଳିବ। ଉଭୟ ଲୋକସଭା ଏବଂ ବିଧାନସଭାରେ ଭଲ ଆସନ ପାଇବ ବିଜେପି।

ଓଡ଼ିଶାରେ ପଦ୍ମ ଫୁଟିବ!

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାରେ ମିଶନ ୧୨୦ର ଟାର୍ଗେଟ ଦେଇଛନ୍ତି। ଏଥିପାଇଁ ଓଡ଼ିଶାର ବିଜେପି କର୍ମକର୍ତ୍ତମାନେ କାମ କରୁଛନ୍ତି। ଆଗାମୀ ନିର୍ବାଚନରେ ଓଡ଼ିଶାରେ ୧୨୦ରୁ ଅଧିକ ଆସନରେ ବିଜେପି ଜିତିବ। ୨୦୧୯ ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚକିତ କରିବ ବୋଲି ଓଡ଼ିଶାଲାଇଭ୍‌କୁ କହିଛନ୍ତି ବିଜେପି ଏସ୍‌ଟି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତମ୍।

Comment