ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ସକ୍ରିୟ ହେଉଛନ୍ତି ବାଇକ ଲୁଟେରା। ୩ ଦିନରେ ୭ ବାଇକ ଲୁଟେରା ଗିରଫ ଓ ୧୩ଟି ଚୋରା ବାଇକ ଜବତ କରିଛି କେନ୍ଦ୍ରାପଡ଼ା ପୋଲିସ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପୋଲିସ ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିଛି। ଲୁଟେରାଙ୍କ ପାଖରୁ ୭ଟି ଚୋରା ବାଇକ ଜବତ କରିଛି ରାଜନଗର ପୋଲିସ। ଶନିବାର ରାତିରେ ରାଜନଗର ଡାଙ୍ଗମାଳ ରାସ୍ତାର ହଂସିଣା ପୋଲ ନିକଟରେ ୮ଜଣ ଅପରାଧୀ ଲୁଟ କରିବାକୁ ଚେଷ୍ଠା କରିବାକୁ ପ୍ରସ୍ତୁତ ହେଉଥିବା ଖବର ପାଇ ପେଟ୍ରୋଲିଂରେ ଥିବା ରାଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୪ ଜଣ ଅପରାଧୀଙ୍କୁ କାବୁ କରିଥିଲା।

ସେମାନଙ୍କ ନିକଟରୁ ପୋଲିସ ମାରଣାସ୍ତ୍ର, ବୋମା, ବାରୁଦ ଓ ପାଉଡର ଆଦି ଜବତ କରିଛି। ସେମାନେ ହେଲେ ରାଜକନିକା ଥାନା ଚେରଣ୍ଟପଡ଼ା ଗାଁର ନଣ୍ଡା ମାଝି, ରାଜନଗର ଥାନା ଭିତରଗଡ଼ ଗାଁର ସର୍ବେଶ୍ୱର ବେହେରା, ବ୍ରାହ୍ମଣସାହି ଗାଁର ଅକ୍ଷୟ ବେହେରା ଓ ହଂସୁଆ ଗାଁର ବିବେକାନ୍ଦ ଦାସ।

ଫେବ୍ରୁଆରି ୧ ତାରିଖରେ ରାଜକନିକା ପୋଲିସ ଚେରଣ୍ଟପଡ଼ା ଗାଁର ଦୁଇ ବାଇକ ଲୁଟେରାଙ୍କୁ ଗିରଫ କରିବା ସହିତ ୪ଟି ଚୋରା ବାଇକ ଜବତ କରିଥିଲା। ଏହାଛଡ଼ା ଗତ ଜାନୁଆରୀ ୩୧ ତାରିଖରେ ପଟ୍ଟାମୁଣ୍ଡାଇ ପୋଲିସ ପଟ୍ଟାମୁଣ୍ଡାଇ ତହସିଲର ବିରଞ୍ଚି ନାରାୟଣ ମାହାଳିକ ନାମକ ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରି ତାଙ୍କଠାରୁ ୨ଟି ଚୋରା ବାଇକ ଜବତ କରିଥିଲା। ଏତି ମଧ୍ୟରେ ପୋଲିସ ୧୩ଟି ଚୋରା ବାଇକ ଜବତକରିବା ସହିତ ୭ଜଣଙ୍କୁ ଗିରଫ କରି ସାରିଛି। ଏହି ଚୋରା ବାଇକ ରାକେଟର ନେଟୱର୍କ ଆହୁରି ଲମ୍ବିଥିବା କେନ୍ଦ୍ରାପଡ଼ା ଏସ୍ ପି ନିତିଶେଖର ସୂଚନା ଦେଇଛନ୍ତି। ସେମାନଙ୍କୁ ଗିରଫ କରିବାକୁ ପୋଲିସ ଜାଲ ବିଛାଇଛି।

Comment