ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀରରେ ବର୍ବର କାଣ୍ଡ। ସିଆର୍‌ପିଏଫ୍‌ ବସ୍‌କୁ ଟାର୍ଗେଟ କଲେ ଆତଙ୍କବାଦୀ।

ଉରି ଆତଙ୍କୀ ହମ୍‌ଲା ଲୋକଙ୍କ ମନରୁ ପାସୋର ନଯାଉଣୁ ଆଜି କାଶ୍ମୀରର ପୁଲବାମାଠାରେ ଘଟିଛି ବଡ଼ ଧରଣର ଆକ୍ରମଣ। ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇ ସିଆର୍‌ପିଏଫ୍ ଯବାନଙ୍କ ଗାଡ଼ି ଉଡ଼ାଇ ଦେଇଛନ୍ତି। ଫଳରେ ୪୦ ଜଣ ଯବାନ ସହିଦ ହୋଇଥିବା ବେଳେ ୪୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଏହି ଲୋମ ଟାଙ୍କୁରା ଘଟଣା ପାଇଁ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଛି। ଏହି ଆକ୍ରମଣ ପରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ସାରା ଦେଶବାସୀ ଦାବି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ‘ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି’।

କେମିତି ଘଟିଲା ଏହି ଲୋମହର୍ଷଣକାରୀ ଘଟଣା?

୨୫୦୦ ଯବାନଙ୍କୁ ନେଇ ସିଆର୍‌ପିଏଫ୍‌ର ୭୦ଟି ଗାଡ଼ି ଜମ୍ମୁରୁ ଶ୍ରୀନଗର ଯାଉଥିଲା। ଭୋର୍ ୩ଟା୩୦ରୁ ଏହି ବସ୍‌ଗୁଡ଼ିକ ଶ୍ରୀନଗର ଅଭିମୁଖେ ବାହାରିଥିଲା। ଗୁରୁବାର ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବାର ଥିଲା। ହେଲେ ପୁଲବାମା ନିକଟରେ ଆତଙ୍କବାଦୀମାନେ ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିଲେ। ଯବାନମାନେ ଶ୍ରୀନଗର ଯାଉଥିବା ଖବର ପାଇ ଏକ କାର୍‌ରେ ବିସ୍ଫୋରଣ ଭର୍ତ୍ତି କରି ରଖିଥିଲେ।

ପୁଲବାମା ନିକଟରେ ଆଗ ପଛ ହୋଇ ଯବାନମାନଙ୍କ ଗାଡ଼ି ଯାଉଥିବା ବେଳେ ହଠାତ୍ ବିସ୍ଫୋରକ ଭର୍ତ୍ତି କାର୍‌ଟି ମାଡ଼ି ଆସିଥିଲା। ସିଆର୍‌ପିଏଫ୍‌ର ଗୋଟି ବସ୍‌ ସହ ସିଧାସଳଖ ପିଟି ହୋଇଥିଲା। ଏହି ବସ୍‌ରେ ୩୯ ଜଣ ଯବାନ ଥିଲେ। ଏହି ବସ୍‌ ସମେତ ଅନ୍ୟ ବସ୍‌ ବି କ୍ଷତିଗ୍ରସ୍ତ ହୋଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳରେ ଖାଲ ସୃଷ୍ଟି ହୋଇଯାଇଛି।

ବିସ୍ଫୋରଣରେ ପ୍ରଥମେ ୮ ଜଣ ଯବାନଙ୍କ ମୃତ୍ୟୁ ଖବର ଆସିଥିଲା। ପରେ ଏହା ବଢ଼ି ୪୦ରେ ପହଞ୍ଚିଛି। ୪୫ ଜଣ ସାଂଘାତିକ ଭାବେ ଗୁରୁତର ହୋଇ ଆର୍ମି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି।

“ପୁଲବାମାରେ ସିଆର୍‌ପିଏଫ୍ ଯବାନଙ୍କ ଗାଡ଼ି ଉପରେ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ। ଏହା ନିନ୍ଦନୀୟ। ସହିଦ ଯବାନମାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି”, କହିଛନ୍ତି ମୋଦି।

୨୦୦୧ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ

୨୦୦୧ ଅକ୍ଟୋବର ୧ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଜମ୍ମୁ-କାଶ୍ମୀର ବିଧାନସଭାକୁ ଟାର୍ଗେଟ କରିଥିଲା ଜୈସ-ଇ-ମହମ୍ମଦ ଆତଙ୍କୀ ସଙ୍ଗଠନ। ବିସ୍ଫୋରକ ଭର୍ତ୍ତି ଟାଟା ସୁମୋ ଗାଡ଼ି ସିଧା ବିଧାନସଭା ଗେଟ୍‌ରେ ପିଟି ହେବାରୁ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା।

“ପୁଲବାମା ଆଙ୍କବାଦୀ ଆକ୍ରମଣକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି। ସହିଦଙ୍କ ପରିବାର ପ୍ରତି ମୁଁ ସମବେଦନା ଜ୍ଞାପନ କରୁଛି। ଆତଙ୍କବାଦୀ ଆକ୍ରମଣ ବିପକ୍ଷରେ ପୂରା ଦେଶ ଛିଡ଼ା ହେବା ଦରକାର”, କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ପୁଲବାମା ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଛି। ଏଥିପାଇଁ ଏନ୍‌ଆଇଏ ୧୨ ଜଣିଆ ଟିମ୍ ଗଠନ କରିଛି। ଆଇଜି ରାଙ୍କର ଅଫିସର ଏହି ଟିମ୍‌ର ନେତୃତ୍ୱ ନେବେ। ଶ୍ରୀନଗର ଅଭିମୁଖେ ଏହି ଟିମ୍ ଆସନ୍ତାକାଲି ଯିବେ।

Comment