ଓଡ଼ିଶାଲାଇଭ୍ ବ୍ୟୁରୋ
“ହେ ଈଶ୍ୱର କେମିତି ଏମିତି ନିଷ୍ଠୁର ହୋଇପାରିଲ। ମୋର ୭ ମାସର ପୁଅକୁ କିଏ ସାହା ହେବ। ୭ ବର୍ଷ ପରେ ଜନ୍ମ ହୋଇଥିବା ପୁଅ ବାପା ଡାକିବା ପୂର୍ବରୁ ତା’ର ବାପାକୁ ଛଡ଼େଇ ନେଲ। ତା’କୁ ବାପ ଛେଉଣ୍ଡ କରିଦେଲ”, ଏହି ଶବ୍ଦ ସେହି ସ୍ତ୍ରୀର ଯିଏ ପୁଲୱାମା ଆକ୍ରମଣରେ ନିଜ ସ୍ୱାମୀକୁ ହରାଇଛନ୍ତି। କୋଳରେ ଥିବା ୭ ମାସର ପୁଅ ବାପାକୁ ହରେଇଛି।
ପୁଲୱାମା ଆକ୍ରମଣ ପରେ ପ୍ରତିଟି ଭାରତୀୟ ପ୍ରତିଶୋଧ ପରାୟଣ ହୋଇପଡ଼ିଛନ୍ତି। ଦେଶର ୪୪ ବୀରପୁତ୍ରଙ୍କ ଆତ୍ମ ବଳିଦାନ ବ୍ୟର୍ଥ ଯିବନି ବୋଲି ସାରାଦେଶରେ ନାରାବାଜି ଶୁଣାଇଛନ୍ତି। ଏହି ଆକ୍ରମଣରେ ପଞ୍ଜାବର ତରନତାରନ ଜିଲ୍ଲାର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।

ଯବାନ ଜଣକ ହେଲେ ସୁଖଜିନ୍ଦ୍ର ସିଂହ। ସୁଖଯିନ୍ଦ୍ର ସିଂହଙ୍କ ସହିଦ ଖବର ପୂରା ଜିଲ୍ଲାରେ ଶୋକ ଖେଳାଇ ଦେଇଛି। ପରିବାର ଲୋକେ ଯବାନ ପୁଅକୁ ହରେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ସୁଖଜିନ୍ଦ୍ରଙ୍କର ଏକ ୭ ମାସର ପୁଅ ମଧ୍ୟ ଅଛି। ପୁଅ ପାଟିରୁ ବାପା ଡାକ ଶୁଣିବା ପୂର୍ବରୁ ମାତୃଭୂମି ପାଇଁ ଜୀବନ ଦେଇଛନ୍ତି ଏହି ଯବାନ। ଦେଶକୁ ସୁରକ୍ଷା ଯୋଗାଇ ଦେଉଥିବା ଏହି ଯବାନଙ୍କ ବିୟୋଗରେ ତାଙ୍କ ପରିବାରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି। ଯବାନଙ୍କ ପତ୍ନୀ ୭ ମାସର ପୁଅକୁ କୋଳରେ ଧରି ଈଶ୍ୱର କେମିତି ଏତେ ନିଷ୍ଠୁର ହୋଇ ପାରିଲେ ଅଭିଯୋଗ କରିଛନ୍ତି।
୧୯୮୪ ମସିହା ଜାନୁଆରି ୧୨ରେ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସୁ୍ଖଜିନ୍ଦ୍ର। ୨୦୦୩ରେ ସିଆରପିଏଫ୍ର ୭୬ତମ ବାଟାଲିଅନରେ କନ୍ଷ୍ଟେବଲ ଭାବେ ନିଯକ୍ତି ପାଇଥିଲେ। ନିଯୁକ୍ତି ପାଇବା ପରେ ସେ ବିବାହ କରିଥିଲେ। ବିବାହର ୭ ବର୍ଷ ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ହେଲେ ବିଧିର ବିଧାନ କିଛି ଅଲଘା ଥିଲା। ନିଜ ସନ୍ତାନଠୁ ବାପା ଡାକ ଶୁଣିବା ପୂର୍ବରୁ ଦେଶ ପାଇଁ ଦେଲେ ଜୀବନ।

















