ଓଡ଼ିଶାଲାଇଭ୍ ବ୍ୟୁରୋ

“କହିଥିଲେ ମାର୍ଚ୍ଚ ମାସରେ ଆସିବେ। ସକାଳେ ଫୋନ କରିଥିଲେ କହିଲେ ବସ୍‌ରେ ଶ୍ରୀନଗର ଯାଉଛି। ପହଞ୍ଚିଲେ କଥା ହେବି, ହେଲେ ଆଉ କଥା ହୋଇନାହାନ୍ତି। ଏବେ ତାଙ୍କ ଶବ ଫେରୁଛି”, ସହିଦ ମନୋଜଙ୍କ ପତ୍ନୀ ଇଲି ବେହେରା।

“ଶେଷ ଥର ପାଇଁ ସ୍ୱାମୀଙ୍କୁ ଦେଖିପାରିଲେନି, ହେଲେ ଆଖି ବନ୍ଦ କଲେ କେବଳ ତାଙ୍କରି ଚେହେରା ମତେ ଦେଖାଯାଉଛି”, କାନ୍ଦି କାନ୍ଦି କହିଛନ୍ତି ଇଲି।

ପୁଲୱାମା ଆକ୍ରମଣରେ ସହିଦ ହୋଇଥିଲେ କଟକ ନିଆଳିର ରତନପୁର ଗାଁର ମନୋଜ ବେହେରା। ମନୋଜଙ୍କ ଗାଁରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଏହି ହୃଦୟବିଦାରକ ପରିବେଶ ସୃଷ୍ଟି ହୋଇଥିଲା।

ମନୋଜଙ୍କ ଟିକି ଝିଅ ମାନସୀ ବାପା କ’ଣ ବୁଝିବା ପୂର୍ବରୁ ବାପାଙ୍କୁ ହରାଇଛନ୍ତି। କିଛି ଦିନ ପୂର୍ବରୁ ଝିଅର ଜନ୍ମ ଦିନ ପାଳନ କରି ଡ୍ୟୁଟିରେ ଜଏନ କରିଥିଲେ ମନୋଜ।

“ପୁଅ ଦେଶ ପାଇଁ ଜୀବନ ଦେଇଛି, ମୋ ପୁଅ ବୀର ଯବାନ”, କହିଛନ୍ତି ମନୋଜଙ୍କ ବାପା ଜଟାଧାରୀ ବେହେରା।

ରତ୍ନ ହରାଇଛି ରତନପୁର

ମନୋଜଙ୍କୁ ହରାଇ ରତନପୁର ରତ୍ନ ହରାଇଥିବା କହିଛନ୍ତି ମନୋଜଙ୍କ ଗାଁ ଲୋକେ। ମନୋଜଙ୍କ ଆତ୍ମ ବଳିଦାନ ସିନା ତାଙ୍କ ଅଞ୍ଚଳକୁ ଗର୍ବିତ କରିଛି ହେଲେ ତାଙ୍କୁ ଝୁରୁଛନ୍ତି ତାଙ୍କ ସାଙ୍ଗସାଥୀ।

ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ମନୋଜଙ୍କୁ ଦେଇଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

ଫେବ୍ରୁଆରି ୧୪ରେ ସାରା ଦେଶ ଭାଲେଣ୍ଇନ୍ସ ଡେ ପାଳନ କରୁଥିବାବେଳେ ଦେଶ ପାଇଁ ପ୍ରାଣ ହରାଇଥିଲେ ୪୦ ଯବାନ। ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ବୀର ମନୋଜ ବେହେରା। ମନୋଜଙ୍କ ସହିଦ ଖବର ଶୁଣିବା ପରେ ତାଙ୍କ ପରିବାର ଲୋକ ସ୍ତବ୍ଧ ହୋଇଯାଇଥିଲେ। ଏହି ଖବର ତାଙ୍କ ଗାଁରେ ଶୋକର ଛାୟା ଖେଳାଇ ଦେଇଥିଲା। ଦୁଇ ଦିନ ଧରି ଗାଁରେ କାହା ଘରେ ଚୁଲି ମଧ୍ୟ ଜଳି ନଥିଲା।

ପାକିସ୍ତାନ ମୁର୍ଦାବାଦ, ସହିଦ ଯବାନ ଅମର ରହେ ଧ୍ୱନିରେ ଫାଟି ପଡୁଥିଲା ରତନପୁର

ମନୋଜଙ୍କ ପାର୍ଥିବ ଶରୀରକୁ ଅପେକ୍ଷା କରିଥିଲେ ଗାଁ ଲୋକେ। ଫେବ୍ରୁଆରି ୧୭ରେ ଜନ୍ମସ୍ଥାନରେ ମନୋଜଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। ପାକିସ୍ତାନ ମୁର୍ଦାବାଦ, ସହିଦ ଯବାନ ଅମର ରହେ ଧ୍ୱନିରେ ଫାଟି ପଡୁଥିଲା ରତନପୁର ଗାଁ ପରିବେଶ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Comment