ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣକୁ ସାରା ଦେଶ ପାଇଁ କଳା ଦିବସ। ଏଥିରେ ସହିଦ ହୋଇଥିବା ୪୦ ଜଣ ଯବାନଙ୍କୁ ଦେଶବ୍ୟାପି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଲୋକେ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ହେଲେ ରାଜସ୍ଥାନର ଜଣେ ଯୁବକ ସହିଦଙ୍କୁ ଭିନ୍ନ ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ତାଙ୍କ ଶରୀରକୁ ହିଁ ସହିଦଙ୍କ ନାଁରେ କରିଦେଇଛନ୍ତି। ଯାହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି।

ଯୁବକ ଜଣକ ହେଲେ ରାଜସ୍ଥାନର ଢ଼ୁଙ୍ଗରଗଡ଼ ଅଞ୍ଚଳର ଗୋପାଳ ସରଣ। ପୁଲୱାମା ଆକ୍ରମଣ ପରେ ସେ ତାଙ୍କ ଶରୀରରେ ଟାଟୁ କରି ୭୧ ଜଣ ସହିଦଙ୍କ ନାମ ଲେଖିବା ସହିତ ତ୍ରିରଙ୍ଗା ପତାକା ଅଙ୍କନ କରିଛନ୍ତି। ଏହି ସହିଦମାନଙ୍କ ଭିତରେ ପୁଲୱାମାରେ ସହିଦ ହୋଇଥିବା ୪୦ ଯବାନଙ୍କ ସହିତ ତାଙ୍କ ସ୍ଥାନୀୟ ଅଞ୍ଚଳର ସହିଦଙ୍କ ନାମ ରହିଛି।

ଫେବ୍ରୁଆରି ୧୪ରେ ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଏହାର ଦୁଇ ଦିନ ପରେ ଏନକାଉଣ୍ଟରରେ ଆତଙ୍କବାଦୀଙ୍କ ଗୁଳିରେ ଆଉ ୪ ଯବାନ ସହିଦ ହୋଇଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରତିଶୋଧର ନିଆଁ ଜୁଳୁଛି। ସମସ୍ତଙ୍କ ଭିତରେ ଦେଶପ୍ରେମ ଜାଗ୍ରତ ହୋଇଛି। ଏହାକୁ ପ୍ରକାଶ କରିବାକୁ ଯାଇ ଅନେକ ଭିନ୍ନ ଭିନ୍ନ ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

Comment