ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ତିନି ଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଉଦଯାପିତ ହୋଇଯାଇଛି।

ଏହି ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ୧୦ଟି ଜିଲ୍ଲାର କଳାକାର ଅଂଶଗ୍ରହଣ କରି ଲୋକନୃତ୍ୟ ଓ ଲୋକସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ-୨୦୧୯ର ସ୍ମରଣିକା ଉନ୍ମୋଚନ କରିଥିଲେ।

“ଓଡ଼ିଶା ହେଉଛି କଳାର ଭୂମି – କଳା ଆମର ପରିଚୟ। କଳା ଏକତାର ମନ୍ତ୍ର ଦେଇଥାଏ। କଳାରେ କୌଣସି ଜାତି, ଧର୍ମ ଓ ଭାଷାର ପାର୍ଥକ୍ୟ ନାହିଁ। କଳା ହିଁ ସମାଜରେ ପରିବର୍ତ୍ତନ ଆଣି ପାରିବ। ତେଣୁ କାଳା ଓ କଳାକାରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ  ପଦକ୍ଷେପ ନେଉଛନ୍ତି। ବ୍ଲକରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କଳାକାର ସଂଘ ଗଠନ କରାଯାଇଛି। କଳାକାରମାନଙ୍କୁ ବିଭିନ୍ନ ସାମାଜିକ ଏବଂ ସଚେତନତାମୂଳକ କର୍ଯ୍ୟକ୍ରମରେ ସାମିଲ କରାଯାଉଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଉଦଯାପନୀ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ବିଜୟ ମହାନ୍ତି ଏବଂ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଗତ ତିନି ଦିନଧରି ଚାଲିଥିବା ଏହି ମହୋତ୍ସବରେ ପ୍ରାୟ ୩୦ ଜିଲ୍ଲାର କଳାକାର ବିଭିନ୍ନ ଲୋକକଳାକୁ ପ୍ରଦର୍ଶନ କରିଥିଲେ। ଉଦଯାପନୀ ଉତ୍ସବରେ ୧୦ଟି ଜିଲ୍ଲାର ଲୋକକଳା ପ୍ରଦର୍ଶିତ କରାଯାଇଥିଲା।

ସମ୍ବଲପୁରୀ ନୃତ୍ୟ, ଗଞ୍ଜାମର ବାଘନାଚ, କଟକର ଢଣକୋଏଲା, ଢେଙ୍କାନାଳର ଆଦିବାସୀ ନୃତ୍ୟ, ପୁରୀର ସାହିଜାତ, କେନ୍ଦ୍ରାପଡାର ସଂକୀର୍ତ୍ତନ, ଯାଜପୁରର ଘୁମୁରା ନୃତ୍ୟ, ଜଗତସିଂହପୁରର ଧୁଡୁକି ନାଚ, ଖୋର୍ଦ୍ଧାର ଘୋଡ଼ାନାଚ ଏବଂ ଭଦ୍ରକର ମୋଗଲତାମସା ପ୍ରଦର୍ଶିତ ହୋଇଥିଲା।

ଭଞ୍ଜକଳା ମଣ୍ଡପରୁ ଏକ ଶୋଭାଯାତ୍ରାରେ ବାହାରି କଳାକାରମାନେ ସହର ପରିକ୍ରମା କରି ଉତ୍କଳମଣ୍ଡପରେ ପହଞ୍ଚିଥିଲେ।

Comment