ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ବ୍ୟାଡମିଣ୍ଟନର ବିକାଶ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା ସରକାର କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ପୁଲେଲା ଗୋପୀଚାନ୍ଦ  ବ୍ୟାଡମିଣ୍ଟନ ଫାଉଣ୍ଡେସନର ଭାଗିଦାରିତାରେ ଏହା କରାଯାଇଛି।

୧ ବର୍ଷ ଭିତରେ ଏକାଡେମୀ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏକାଡେମୀରେ ୧୦ଟି ବ୍ୟାଡମିଣ୍ଟନ କୋର୍ଟ, ଜିମ୍ନାସିୟମ, ଖେଳାଳି, ପ୍ରଶିକ୍ଷକ ଏବଂ ସହଯୋଗୀ କର୍ମଚାରୀମାନଙ୍କ ରହଣୀ ପାଇଁ ବ୍ୟବସ୍ଥା ରହିବ। ବ୍ୟାଡ୍‌ମିଣ୍ଟନର ଏହି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପାଇଁ ଡିଏସ୍‌ୱାଇଏସ୍‌ ୪ ଏକର ଜମି ପ୍ରଦାନ କରିବ।

“ଆଜି ହେଉଛି ଏକ ଐତିହାସିକ ଦିନ। ବ୍ୟାଡ୍‌ମିଣ୍ଟନ କ୍ରୀଡ଼ାର ବିକାଶ ପାଇଁ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କୁ ଏହି କେନ୍ଦ୍ରକୁ ମୁଁ ଉତ୍ସର୍ଗୀକୃତ କରୁଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶ ପାଇଁ ଏହି କେନ୍ଦ୍ର ଆକର୍ଷଣ ପାଲଟିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ସଫଳ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୧୮ ଏସିଆନ୍ ଗେମ୍‌ସରେ ଭାଗ ନେଇଥିବା ଓଡ଼ିଶାର ଯଉନା ମୁର୍ମୁ ଏବଂ ପୂର୍ଣ୍ଣିମା ହେମ୍ବ୍ରମ, ଜିମ୍ନାଷ୍ଟିକ୍ସର କୁମାର ପାତ୍ରଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯାଇଥିଲା।

ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଏବଂ ରୋଇଂର ସଂଯୁକ୍ତା ଡଙ୍ଗ ଡଙ୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯାଇଥିଲା। ଏହାସହ ଅନ୍ୟ ସଫଳ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ର ମୁଖ୍ୟ ଜାତୀୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ, ଡାଲମିଆ ଭାରତ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହର୍ମିତ ସିଂ ସେଟ୍ଟୀ, ପୂର୍ବତନ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ପ୍ରମୁଖ ଉପସ୍ଥିତ ଥିଲେ।

Comment