ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଭିତରେ ଜଣେ ଆଦିବାସୀ ମହିଳାଙ୍କୁ ଜଣେ  ସହକାରୀ ସବ୍‌ଇନ୍‌ସପେକ୍ଟର  ନିସ୍ତୁକ ମାଡ଼ ମାରୁଥିବା ଦୃଶ୍ୟ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ସଂପୃକ୍ତ ମହିଳାଙ୍କର ଏତିକି ଭୁଲ୍‌ ଯେ ସେ  ପୂଜାମେଢ ବିସର୍ଜନ ସମୟରେ ଭିଡ଼ ଭିତରେ ନାଚିଥିଲେ। ଏତିକିରେ ରେଙ୍ଗାଲି ଥାନାର ଏହି ପୋଲିସ୍‌ବାବୁଙ୍କ ରାଗ ପଞ୍ଚମକୁ ଉଠି ଆସିଲା ଆଉ, ଥାନା ଭିତରେ ସଂପୃକ୍ତ ମହିଳାଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ। ଏହି ଭିଜୁଆଲ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଗତ ଗଣେଷପୂଜା ବିସର୍ଜନ ସମୟର ଏହି ଭିଜୁଆଲ୍‌କୁ ପୋଲିସ୍‌ ବାବୁ କୌଣସି ମତେ ଲୁଚାଇ ରଖିବା ସହ ସଂପୃକ୍ତ ଆଦିବାସୀ ମହିଳାଙ୍କୁ ଧମକ ଚମକ ଦେଇ ଚୁପ୍‌ କରିଦେବାରେ ସଫଳ ହୋଇଥିଲେ। ହେଲେ ଏବେ ପୋଲିସ୍‌ ବାବୁଙ୍କ ଏହି ଦବଙ୍ଗଗିରି ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି।

ମାଡ଼ ଖାଇଥିବା ସଂପୃକ୍ତ ମହିଳାଙ୍କ ଘର ରେଙ୍ଗାଲିର ଏକ ବସ୍ତିରେ। ତାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, “ହାଟରୁ ଘରକୁ ଫେରିବା ସମୟରେ ଗଣେଶ ମୂର୍ତ୍ତୀ ବିସର୍ଜନ ଶୋଭାଯାତ୍ରା ଚାଲିଥିଲା। ସେଠାରେ ଡିଜେ ବାଜୁଥିବାରୁ ସେ କିଛି ସମୟ ସେଠାରେ ନାଚି ଥିଲେ। ଏହାପରେ ପୋଲିସ୍‌ର ପିସିଆର୍‌ ଭ୍ୟାନ୍‌ ତାଙ୍କୁ ଘରେ ଛାଡିଦେବ ବୋଲି କହି ସେଠାରୁ ଆଣିଥିଲା। ହେଲେ ଘରେ ନଛାଡି ସିଧା ରେଙ୍ଗାଲିଥାନାକୁ ନେଇଯାଇଥିଲା।”

ଏଏସ୍‌ଆଇ ଦ୍ରୋଣାଚାର୍ଯ୍ୟ ସାହୁଙ୍କୁ ଥାନାକୁ କାହିଁକି ଆଣିଲ ବୋଲି ମହିଳା ପଚାରିଥିଲେ। ହେଲେ ତାଙ୍କୁ ମାଡ଼ ମାରିଥିଲେ ପୋଲିସ ବାବୁ।

ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ମହାପାତ୍ର କହିଛନ୍ତି, “ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ପୂର୍ବରୁ ସମ୍ବଲପୁର ଏସ୍‌ପିଙ୍କ ଅଧିନରେ ଥିବା ହୀରାକୁଦ ଥାନା ପରିସରରେ ଜଣେ ନାବାଳକକୁ ଥାନା ଅଧିକାରିଣୀ ନିସ୍ତୁକ ମାଡ଼ ମାରିବା ଭିଜୁଆଲ୍‌ ଭାଇରାଲ୍‌ ହୋଇଥିଲା। ହେଲେ ସେ କ୍ଷେତ୍ରରେ ମଧ୍ୟ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ଶୂନ୍ ରହିଥିଲା।

Comment