ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ବୁଧବାର ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ। ୪ଟି ମ୍ୟାଚରୁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳ ଦୁଇଟିରେ ଜିତି ସିରିଜ୍‌ରେ ବରାବର ସ୍ଥିତିରେ ରହିଛନ୍ତି। ତେବେ ଆସନ୍ତା ମ୍ୟାଚରେ ଯେଉଁ ଦଳ ଜିତିବ ସିରିଜ୍‌ର ମୁକୁଟ ସିଏ ପିନ୍ଧିବ।

ଦିଲ୍ଲୀ ଫିରୋଜ ଶାହା କୋଟ୍‌ଲା ଷ୍ଟାଡିୟମରେ ଦିନ ୧.୩୦ରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ ଦେଖିବାକୁ ମିଳିବ। ପୂର୍ବ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବିରାଟ ସ୍କୋରକୁ ଭାଙ୍ଗି କଙ୍ଗାରୁ ଦଳ ବିଜୟଲାଭ କରିଥିଲା। ଏହି ବିଜୟ ସହ କଙ୍ଗାରୁ ଟିମ୍‌ ଭାରତ ସହ ବରାବର ହୋଇଛି। କାଲି ମ୍ୟାଚ୍‌ଟି ଉଭୟ ଦଳ ପାଇ କର ବା ମର ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଯିଏ ଜିତିବ, ସେହି ଦଳ ସିରିଜ କବ୍‌ଜା କରିବ।

ଆସନ୍ତା ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପକ୍ଷରୁ ରୋହିତ-ଶିଖରଙ୍କ ପାର୍ଟନରସିପ୍‌ ଉପରେ ସମସ୍ତଙ୍କ ନଜର ରହିବ। ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ନିଜ ଫର୍ମାଟ୍‌କୁ ଫେରି ଆଉଟ ହେବାରୁ ବଞ୍ଚିବାକୁ ପଡ଼ିବ। ସେହିପରି ଫିଲ୍ଡିଂ କ୍ଷେତ୍ରରେ ଟମ୍‌ ଇଣ୍ଡିଆକୁ ସଜାଗ ହେବାକୁ ପଡ଼ିବ। କାହିଁକି ନାଁ ପୂର୍ବ ମ୍ୟାଚ୍‌ରେ ଭାରତ ହାରିବାର ମୂଳ କାରଣ ହେଉଛି ଖରାପ ଫିଲ୍ଡିଂ।

ଅନ୍ୟ ପକ୍ଷରେ କଙ୍ଗାରୁ ଦଳ, ଟିମ୍‌ ଇଣ୍ଡିଆକୁ କୌଣସି ମଉକା ନ ଦେବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ମହେନ୍ଦ୍ର ସିଂହ ଧୋନି ଖେଳୁ ନଥିବାରୁ ଦଳ ଉପରେ ଏହାର ପ୍ରଭାବ ପଡ଼ିପାରେ। ଧୋନିଙ୍କ ବଦଳରେ ରିଷଭ୍‌ ପନ୍ତ କିପିଂ କରିବେ। ଏସବୁକୁ ଦୃଷ୍ଟି ରଖି ଆସନ୍ତା କାଲି ପଡ଼ିଆକୁ ଓହ୍ଲାଇବ ଭାରତୀୟ କ୍ରିକେଟ ଟିମ୍‌। ଆସନ୍ତା ମ୍ୟାଚ୍‌ରେ ‘ଜୋ ଜିତା ୱହି ସିକନ୍ଦର’।

Comment