ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦ରେ ଭାରତରେ ଆୟୋଜିତ ହେବାକୁ ଯାଉଛି ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ। ୨୦୧୭ରେ ଭାରତରେ ପୁରୁଷ ବିଶ୍ୱକପ ସଫଳତାର ସହ ହେବାପରେ, ଆଉ ଏକ ଫିଫା ବିଶ୍ୱକପ ହେବା ପାଇଁ ନିଷ୍ପତି ନିଆଯାଇଛି। ଏନେଇ ଫିଫା ଅଧ୍ୟକ୍ଷ ଜିଆନି ଇନଫାଣ୍ଟିନୋ ଶୁକ୍ରବାର ଘୋଷଣା କରିଛନ୍ତି।
ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକାର ମିଆମିରେ ଆୟୋଜିତ ହୋଇଥିଲା ଫିଫା ପରିଷଦ ବୈଠକ। ଏହି ବୈଠକରେ ଫିଫା ଅଧ୍ୟକ୍ଷ ଇନଫାଣ୍ଟିନୋ କହିଛନ୍ତି, “୨୦୨୦ ଅଣ୍ଡର-୧୭ ବିଶ୍ୱକପ ଆୟୋଜନ ପାଇଁ ଭାରତକୁ ଚୟନ କରାଯାଉଛି।”
ଅନ୍ୟପକ୍ଷରେ ଭାରତରେ ପୁଣିଥରେ ଫିଫା ବିଶ୍ୱକପ ଆୟୋଜିତ ହେଉଥିବାରୁ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନର (ଏଆଇଏଫଏଫ)ର ସମ୍ପାଦକ କୁଶଲ ଦାସ ଫିଫାକୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ବିଶ୍ୱକପ ଭଳି ବଡ଼ ପ୍ରତିଯୋଗିତାକୁ ଭାରତରେ ପୁଣିଥରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଆମେ ଫିଫା ନିକଟରେ କୃତଜ୍ଞ। ଏହାଦ୍ୱାରା ଭାରତରେ ମହିଳା ଫୁଟବଲ ଆଗକୁ ବଢ଼ିବ।