ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ଏବଂ କଂଗ୍ରେସଠାରୁ ଟପି ଯାଇଛି ବିଜେପି। ବିଳମ୍ବରେ ହେଲେ ମଧ୍ୟ ୧୦୦ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରି ରାଜନୀତି ପାଣିପାଗକୁ ଗରମ କରିଛି ବିଜେପି। ୧୦୦ ଜଣିଆ ତାଲିକା ଭିତରେ ବିଜେପି ଅନେକ ବରିଷ୍ଠ ନେତାଙ୍କୁ ଟିକେଟ ଦେଇଛି।

କେଉଁ ହେବିୱେଟ ନେତା କଉେଁଠୁ ଲଢ଼ିବେ ଜାଣନ୍ତୁ ଏହି ରିପୋର୍ଟରୁ।

ପ୍ରଦୀପ ପୁରୋହିତ – ୨୦୧୪ ନିର୍ବାଚନରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ପ୍ରଦୀପ ପୁରୋହିତ। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇ ପ୍ରଦୀପ ଚର୍ଚ୍ଚାରେ ରହିଥିଲେ। ତାଙ୍କୁ ପୁଣି ଟିକେଟ ଦେଇଛି ବିଜେପି।

ରାଧାରାଣୀ ପଣ୍ଡା – ୨୦୧୪ରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ରାଧାରାଣୀ ପଣ୍ଡା। କଂଗ୍ରେସ ଛାଡ଼ି ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅନୁପ ସାଏଙ୍କୁ ପରାଜିତ କରିଥିଲେ ରାଧାରାଣୀ। ଜଣେ ମହିଳା ନେତ୍ରୀ ଭାବେ ସେ ବିଜେପିରେ ପ୍ରଭାବ ବିସ୍ତାର କରିଛନ୍ତି। ତାଙ୍କ ଉପରେ ଦଳ ପୁଣି ଭରସା କରିଛି।

ରବି ନାରାୟଣ ନାଏକ – ରବି ନାଏକ ୨୦୧୪ରେ କୁଚିଣ୍ଡାରୁ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କୁ ଏଥର ବିଜେପି ପ୍ରାର୍ଥୀ କରିଛି।

ଜୟନାରାୟଣ ମିଶ୍ର – ସମ୍ବଲପୁର ବିଧାନସଭା ଆସନ ପାଇଁ ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ଜୟନାରାୟଣ ବିଜେପି-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ। ମେଣ୍ଟ ଭାଙ୍ଗିବା ପରେ ସେ ପରାଜିତ ହୋଇଥିଲେ। ଏବେ ପୁଣି ଜୟନାରାୟଣଙ୍କୁ ଟିକେଟ ମିଳିଛି।

ମନମୋହନ ସାମଲ – ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଦଳ ଚାନ୍ଦବାଲି ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ୨୦୧୪ରେ ମନମୋହନ ଭଣ୍ଡାରିପୋଖରୀ ଛାଡ଼ି ଚାନ୍ଦବାଲି ଆସିଥିଲେ। ବିଜେଡିର ବ୍ୟୋମକେଶ ରାୟଙ୍କଠାରୁ ପରାଜିତ ହୋଇଥିଲେ।

କନକବର୍ଦ୍ଧନ ସିଂହଦେଓ – ପାଟଣାଗଡ଼ ବିଧାନସଭା ଆସନରୁ ଲଗାତାର ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବା କନକବର୍ଦ୍ଧନ ସିଂହଦେଓଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି। ମେଣ୍ଟ ସରକାରରେ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ଏବଂ ବିଧାୟକ ଦଳ ନେତା କେଭିଙ୍କ ଉପରେ ଭରସା କରିଛି ଦଳ।

ସମୀର ଦେ – ବିଜେପିର ଅନ୍ୟତମ ବରିଷ୍ଠ ନେତା ସମୀର ଦେଙ୍କୁ ଏଥର ବାରବାଟୀ-କଟକ ଆସନରୁ ପ୍ରାର୍ଥୀ କରିଛି ଦଳ। ୨୦୧୪ରେ ସେ କଟକ ଲୋକସଭା ଆସନରୁ ସାଂସଦ ଭାବେ ଲଢ଼ି ପରାଜିତ ହୋଇଥିଲେ।

ସୁରମା ପାଢ଼ୀ – ରଣପୁର ବିଧାନସଭା ଆସନରୁ ବିଧାନସଭାକୁ ଜିତି ମେଣ୍ଟ ସରକାର ଅମଳରେ ମନ୍ତ୍ରୀ ହୋଇଥିବା ସୁରମା ପାଢ଼ୀଙ୍କୁ ବିଜେପି ପୁଣି ଟିକେଟ ଦେଇଛି। ୨୦୦୯ ଏବଂ ୨୦୧୪ ନିର୍ବାଚନରେ ପରାଜିତ ହୋଇଥିବା ସୁରମା ଏଥର ନିର୍ବାଚନ ଲଢ଼ି ପୁଣି ଥରେ ବିଧାନସଭା ଆସିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଡାକ୍ତର ଦାମୋଦର ରାଉତ – ନିକଟରେ ବିଜେପିରେ ମିଶିଥିଲେ ଡାକ୍ତର ଦାମୋଦର ରାଉତ। ତାଙ୍କୁ ବାଲିକୁଦା-ଲରସମାରୁ ପ୍ରାର୍ଥୀ କରିଛି ଦଳ। ଦାମ ବିଜେଡିରେ ଥିଲେ। ପାରାଦୀପ ବିଧାନସଭା ଆସନରୁ ୨୦୦୯ରୁ ଦାମ ଜିତି ଆସୁଥିଲେ।

Comment