ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଟିକେଟକୁ ନେଇ ରାଜ୍ୟ ବିଜେପିରେ ଚାଲିଛି ପାଲା। ଗତ ଦୁଇ ଦିନ ହେଲା ଟିକେଟ ବଣ୍ଟନକୁ ନେଇ ଏହି ପାଲା ଚାଲିଛି। ଏକାମ୍ର-ଭୁବନେଶ୍ୱର ପାଇଁ ଆଶାୟୀ ପ୍ରାର୍ଥୀ ଅମୀୟ ଦାସଙ୍କ ଟିକେଟ କଟିବା ପରେ ବିଜେପିରେ ଏହି ପାଲା ଆରମ୍ଭ ହୋଇଛି। ଅମୀୟଙ୍କ ସମର୍ଥକମାନେ ବିଜେପି ପାର୍ଟି ଅଫିସରେ ତାଲା ପକାଇ ହଙ୍ଗାମା କରିଛନ୍ତି।

ମିଶନ-୧୨୦କୁ ନେଇ ବିଜେପି ଗଣିତ କଷୁଥିବା ବେଳେ ଅମୀୟ ସମର୍ଥକଙ୍କ ହଙ୍ଗାମା ଦଳକୁ ଅଠାକାଠିରେ ପକାଇ ଦେଇଛି।

ବିଜେପିରେ କାହିଁକି ଏ ପାଲା?

୨୦୧୪ରେ ଏକାମ୍ର-ଭୁବନେଶ୍ୱର ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଅମୀୟ ଦାସ। ସେ ବିଜେଡିର ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ କଡ଼ା ଟକ୍କର ଦେଇଥିଲେ। ୨୦୧୯ ନିର୍ବାଚନରେ ଟିକେଟ ନେବାକୁ ଆଶା କରିଥିଲେ ଅମୀୟ। ହେଲେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବାବୁ ସିଂ ଟିକେଟ ହାତେଇ ନେଇଥିଲେ। ଏହାକୁ ନେଇ ହିଁ ପାଲା ଆରମ୍ଭ ହୋଇଛି।

ବାବୁଙ୍କ ଟିକେଟକୁ ବିରୋଧ କରି ଅମୀୟଙ୍କ ସମର୍ଥକମାନେ ଗତ ଦୁଇ ଦିନ ହେଲା ବିଜେପି ପାର୍ଟି ଅଫିସରେ ହଙ୍ଗାମା କରୁଛନ୍ତି। ପାର୍ଟି ଅଫିସ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଏକାମ୍ର-ଭୁବନେଶ୍ୱର ଆସନ ପାଇଁ ନିଆଯାଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରିଛନ୍ତି।

‘‘ଅମୀୟ ଦାସ ହେଉଛନ୍ତି ଏ ମାଟିର ପୁଅ। ଭୁବନେଶ୍ୱର ପାଣି ପବନରେ ସେ ବଢ଼ିଛନ୍ତି। କିଛି ଆଗପଛ ବିଚାର ନକରି ଅମୀୟ ଟିକେଟ କାଟି ଦେଇଛି ବିଜେପି। ଯଦି ଅମୀୟଙ୍କୁ ଟିକେଟ ନମିଳେ ତାହାଲେ ଭୁବନେଶ୍ୱରରେ ଦା’ କଟୁରୀ ବୁଲିବ’’, ଏହା ହେଉଛି ବିଜେପି ପାର୍ଟି ଅଫିସ ଆଗରେ ଧାରଣାରେ ବସିଥିବା ଜଣେ ମହିଳା ସମର୍ଥକଙ୍କ ମତ।

ସେ ଆହୁରି କହିଥିଲେ, ‘‘ଯେ ପର୍ଯ୍ୟନ୍ତ ଅମୀୟ ଦାସଙ୍କୁ ଟିକେଟ ନମିଳିଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆମେ ରାଜରାସ୍ତାରେ ପ୍ରତିବାଦ କରିବୁ। ଦରକାର ପଡ଼ିଲେ ଆମେ ନିର୍ବାଚନ କରାଇ ଦେବୁ ନାହିଁ। ଯିଏ ଖରା, ବର୍ଷା ନମାନି ଗରିବ, ଖଟିଖିଆଙ୍କ ପାଇଁ କାମ କରିଛି ତାଙ୍କ ପ୍ରତି ବିଜେପି ଅନ୍ୟାୟ କରିଛି।’’

ଆଉ ଜଣେ ସମର୍ଥକ କହିଛନ୍ତି, ‘‘ମୁଁ ବିଜେପିରେ ୨୫ ବର୍ଷ ହେଲା କର୍ମୀ ଭାବେ କାମ କରୁଛି। ବିଜେପି ନେତୃବୃନ୍ଦ ଅମୀୟ ଦାସଙ୍କ କ୍ଷେତ୍ରରେ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍ ନୁହେଁ। ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଆମେ ଦାବି କରୁଛୁ। କେବଳ ମୁଁ ନୁହେଁ, ମୋ’ ଭଳି ବହୁ ବିଜେପି ସମର୍ଥକ ଏହା ଚାହୁଁଛନ୍ତି।’’

ବିଜେପି ପାର୍ଟି ଅଫିସ ଆଗରେ ଚାଲିଥିବା ଧାରଣାସ୍ଥଳରେ ଆଜି ଅମୀୟ ଦାସଙ୍କୁ ଦେଖିବାକୁ ମିଳିଥିଲା। ଏହି ଅସନ୍ତୋଷ ସମ୍ପର୍କରେ ଅମୀୟଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି। ହେଲେ ଅମୀୟ ଅତି ଚତୁରତାର ସହ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଥିଲେ।

ସେ କହିଥିଲେ, ‘‘ଧାରଣାରେ ବସିଥିବା ଲୋକମାନେ ହେଉଛନ୍ତି ବିଜେପି କର୍ମୀ। ସେମାନେ ସେମାନଙ୍କର ଅସନ୍ତୋଷ ଜାହିର କରିଛନ୍ତି।’’

ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଗତ ଗୁରୁବାର ରାତିରେ ପ୍ରକାଶ ପାଇଥିଲା। ଏହି ତାଲିକାରେ ଅମୀୟ ଦାସଙ୍କ ଜାଗାରେ ବାବୁ ସିଂଙ୍କ ନାଁ ରହିଥିଲା। ଏହାପରେ ଅମୀୟ ସମର୍ଥକଙ୍କ ମନରେ ଅସନ୍ତୋଷ କୁହୁଳିଥିଲା। ସେମାନେ ବିଜେପି ଉପ-ସଭାପତି ସମୀର ମହାନ୍ତିଙ୍କ ବାସଭବନରେ ଭଙ୍ଗାରୁଜା କରିବା ସହ ବିଜେପି ପାର୍ଟି ଅଫିସରେ ତାଲା ପକାଇଥିଲେ। ତାଲା ପକାଇ ସମର୍ଥକମାନେ ଦୁଇ ଦିନ ହେଲା ହଙ୍ଗାମା କରୁଥିଲେ ମଧ୍ୟ ବିଜେପିର କୌଣସି ନେତା ଏ ବିଷୟରେ ପ୍ରତିକ୍ରିୟା ଦେଇ ନାହାନ୍ତି।

Comment