ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ନିଜ ଘରକୁ ପୁଣିଥରେ ବାହୁଡ଼ି ଯାଇଛନ୍ତି ବିଜୟ ମହାପାତ୍ର। ୨୦୧୮ ନଭେମ୍ବରରେ ଦଳରେ ଅସନ୍ତୋଷ ଥିବା କହି ବିଜେପି ଛାଡ଼ିଥିଲେ ବିଜୟ। ବିଜୟଙ୍କ ସହ ବିଜେପି ଛାଡ଼ିଥିଲେ ଦିଲ୍ଲୀପ ରାୟ।

ଏହାପରେ ଚର୍ଚ୍ଚା ହେଲା କି ଉଭୟ ବିଜେଡିରେ ସାମିଲ ହୋଇପାରନ୍ତି। ଏପରିକି ନିର୍ବାଚନ ବିଗୁଲ ବାଜିବା ପରେ ନବୀନ ନିବାସ ଯାଇଥିଲେ ଦିଲ୍ଲୀପ ରାୟ। ଏହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା।

ଏହାରି ଭିତରେ କିଛିଦିନ ବିତିଯାଇଥିଲେ ମଧ୍ୟ ଦିଲ୍ଲୀପଙ୍କ ପରବର୍ତ୍ତୀ ପଦକ୍ଷେପ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ତାଙ୍କ ଯୋଡ଼ିଦାର କୁହାଯାଉଥିବା ବିଜୟ ମହାପାତ୍ର ବିଜେପିରେ ସାମିଲ ହୋଇଛନ୍ତି।

ଦଳର ନେତାମାନେ ବିଜୟଙ୍କୁ ମନାଇବାରେ ସଫଳ ହୋଇଛନ୍ତି ଏବଂ ବିଜୟ ମଧ୍ୟ ନିଜର ମାନ ଭଞ୍ଜନ କରିଛନ୍ତି। ଅର୍ଥାତ ବିଜୟ ମହାପାତ୍ର ପୁଣିଥରେ ପଦ୍ମର ପତାକା ଧରିଛନ୍ତି।

ଏହାପରେ ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି କି ବିଜୟଙ୍କ ଯୋଡ଼ିଦାର ସମ୍ଭବତଃ ଖୁବଶୀଘ୍ର ବିଜେପିକୁ ଫେରିବେ। ଆଉ ଏହି କଥାର ସଙ୍କେତ ମିଳୁଛି ବିଜୟ ମହାପାତ୍ର ବିଜେପିରେ ସାମିଲ ହେବା ପରେ ଦେଇଥିବା ପ୍ରତିକ୍ରିୟାରୁ।

ଯେତେବେଳେ ଗଣାମାଧ୍ୟମର ପ୍ରତିନିଧି ମାନେ ଏ ନେଇ ବିଜୟଙ୍କୁ ପ୍ରଶ୍ନ କରିଥିଲେ ସେ କହିଥିଲେ କି, “ଦିଲ୍ଲୀପ ଏବେ ବାହାରେ ଅଛନ୍ତି। ଏ ନେଇ କଥାବାର୍ତ୍ତା ଚାଲିଛି, ନିଷ୍ପତ୍ତି ଖୁବଶୀଘ୍ର।”

ତେବେ ବିଜୟଙ୍କ ପରେ ଦିଲ୍ଲୀପଙ୍କୁ ଏବେ ମନାଇ ଦଳରେ ସାମିଲ କରିପାରେ ଦଳ। ଏହାସହିତ ଓଡ଼ିଶାରେ ବିଜେପି ଯେଉଁ ପରିବର୍ତ୍ତନର ଡାକରା ଦେଇଛି ସେଥିପାଇଁ ଦଳ, ସବୁ ରାଗ, ରୁସା, ଅଭିମାନ ଓ ଅହଙ୍କାରକୁ ଭୁଲି ଦଳକୁ ସଙ୍ଗଠିତ କରିବାକୁ ଚେଷ୍ଟା କରୁଛି।

ବିଜେପି ନିର୍ବାଚନ ଅନେକ ଆଗରୁ ଓଡ଼ିଶାରେ ୧୨୦ ପ୍ଲସର ନାରା ଦେଇ ଆସୁଛି। ଏବେ ଦଳ ଲାଗି ଯେଉଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି ନିର୍ବାଚନ ପୂର୍ବରୁ ସେନେଇ ବିଜେପି ସବୁ ପ୍ରକାର ଚେଷ୍ଟା କରୁଛି।

ତେବେ ବିଜୟଙ୍କ ପରି ଦିଲ୍ଲୀପଙ୍କୁ ମନାଇ ଦଳ ପୁଣିଥରେ ବିଜେପିକୁ ଫେରାଇ ଆଣି ପାରୁଛି କି ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ।

Comment