ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଘୋଷଣା ହେଲା ୧୮ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ତାଲିକା। କଟକ ବାରବାଟି ଆସନ ଲାଗି ବିଜେଡି ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି। ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେବାଶିଷ ସାମନ୍ତରାୟଙ୍କ ଉପରେ ଭରସା କରିଛନ୍ତି। ଏଥିପାଇଁ ଦେବାଶିଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଦେବାଶିଷ ସାମନ୍ତରାୟ କହିଛନ୍ତି, “ ପୁଣିଥରେ ଦଳର ସୁପ୍ରିମୋ ମୋ ଉପରେ ଭରଷା କରି ଟିକେଟ୍‌ ଦେଇଥିବାରୁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ଦଳ ପାଇଁ ମୁଁ ଜଣେ ସୈନିକ ହିସାବରେ କାମ କରିବି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବି। ଆଗାମୀ ଦିନରେ କଟକ ସହର ସ୍ମାର୍ଟ ସିଟି ହେବ।”

୨୦୦୯ ମସିହାରେ ଦେବାଶିଷ ସାମନ୍ତରାୟ କଟକ ବାରବାଟି ଆସନରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ଦେବାଶିଷ ବାରବାଟି ଆସନରୁ ଟିକେଟ ପାଇ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଚଳିତ ନିର୍ବାଚନରେ ଦେବାଶିଷ ଟିକେଟ୍‌ ପାଇବେନି ବୋଲି କୁହାଯାଉଥିବା ବେଳେ ଅନ୍ୟପକ୍ଷରେ ସେ ପାରାଦୀପ ଆସନରୁ ଲଢ଼ିବା ବୋଲି ଚର୍ଚ୍ଚା ଜୋର ଧରିଥିଲା। ବର୍ତ୍ତମାନ ସମସ୍ତ ଚର୍ଚ୍ଚାର ଅନ୍ତ ଘଟିଛି। ଦେବାଶିଷ ସାମନ୍ତରାୟଙ୍କୁ ପୁଣି ଥରେ କଟକ ବାରବାଟି ଆସନରୁ ବିଜେଡି ପ୍ରାର୍ଥୀ କରିଛି।

ବର୍ତ୍ତମାନ ଦେବାଶିଷ ହେଉଛନ୍ତି କଟକ ଜିଲ୍ଲା ବିଜେଡିର ସଭାପତି। ଚଳିତ ନିର୍ବାଚନରେ ଦେବାଶିଷଙ୍କ ବିପକ୍ଷରେ ବିଜେପିରୁ ସମୀର ଦେ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଇଂ ମହମ୍ମଦ ମୋକିମ୍‌ କଟକ ବାରବାଟି ଆସନରୁ ଦେବାଶିଷଙ୍କ ବିରୋଧରେ ଲଢ଼େଇ କରିବେ। ଏଥର ନିର୍ବାଚନରେ କଟକ ବାରବାଟୀରେ ତ୍ରିମୁଖୀ ଲଢ଼େଇ ହେବ।

Comment