ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ଛାଡ଼ିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ। ଦଳର ପ୍ରାଥମିକ ସଦସ୍ୟତା ଓ ସାଂସଦ ପଦରୁ ଅର୍ଜୁନ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ନିଜ ଇସ୍ତଫା ପତ୍ରରେ ସେ ନିଜର ବିଷୋଦାଗାରକୁ ବ୍ୟକ୍ତ କରିଛନ୍ତି।

ବିଜେଡି ଭଦ୍ରକ ଲୋକସଭା ଓ ବିଧାନସଭା ଆସନଲାଗି ପ୍ରାର୍ଥୀ ଘୋଷଣା କରିସାରିଛି। ଯେଉଁଥିରେ ଅର୍ଜୁନ ସେଠୀ କିମ୍ବା ତାଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ଟିକେଟ ଦେଇନାହିଁ। ଯାହା ପରେ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଛନ୍ତି।

ଦଳ ଛାଡ଼ିବାପରେ ସେ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅର୍ଜୁନ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, “ଦଳ ବିଜୁବାବୁଙ୍କ ନୀତି ଆଦର୍ଶକୁ ଭୁଲି ଯାଇଛି। ମୁଁ ଆପଣଙ୍କୁ ଭେଟିବାକୁ ନବୀନ ନିବାସ ଜାଇଥିଲି। ୪ଘଣ୍ଟା ଅପେକ୍ଷା କରିବା ପରେ ଆପଣଙ୍କ ସହ ସାକ୍ଷାତ ହୋଇପାରି ନଥିଲା। ପରିଣତ ବୟସରେ ମୋତେ ଏପରି ଅବହେଳା ସହ୍ୟ ହେଲାନି। ଏହା ମୋତେ ଆଘାତ ଦେଲା। ବିଜେଡି ଲାଗି ମୁଁ ଅନାବଶ୍ୟକ ମନେ କଲି।”

୮ ଥରର ଏମପି ଅର୍ଜୁନ

ଭଦ୍ରକ ଲୋକସଭା ଆସନରୁ ଆଜି ପର୍ଯ୍ୟନ୍ତ ଯେତିକି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ଭିତରୁ ସର୍ବାଧିକ ଥର ଯାଇଛନ୍ତି ଅର୍ଜୁନ ଚରଣ ସେଠୀ। କଂଗ୍ରେସରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅର୍ଜୁନ ଜନତା ଦଳ ଏବଂ ବିଜୁ ଜନତା ଦଳ ଟିକେଟରେ ଲୋକସଭା ଯାଇଛନ୍ତି।

କଂଗ୍ରେସ ଟିକେଟରୁ ୧୯୭୧ରେ ଅର୍ଜୁନଙ୍କର ଲୋକସଭା ଯାତ୍ରା ଆରମ୍ଭ ହୁଏ। ୧୯୭୭ ଯାଏଁ ସେ ସାଂସଦ ରହିଥିଲେ। ପୁଣି ୧୯୮୦ କଂଗ୍ରେସ (ଆଇ)ରୁ ନିର୍ବାଚିତ ହୋଇଥିବା ଅର୍ଜୁନ ଜନତା ଦଳରେ ପ୍ରବେଶ କରିଥିଲେ। ୧୯୯୧ରେ ଅର୍ଜୁନ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ରେ ଅର୍ଜୁନ ଲୋକସଭାକୁ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି।

ହେଲେ ୨୦୧୯ ନିର୍ବାଚନ ଲଢ଼ିବାକୁ ଅର୍ଜୁନଙ୍କ ବୟସ ସାଥ୍ ଦେଉନି। ଏଣୁ ସେ ତାଙ୍କ ପୁଅକୁ ଟିକେଟ ଦେବାକୁ ଲବି କରିଥିଲେ ଦଳର ସଭାପତିଙ୍କ ପାଖରେ।

Comment