ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ବାଲିଯାତ୍ରା ପଡ଼ିଆରେ ଜମୁଛି ୧୫ତମ ବୈଶାଖୀ ବାଣିଜ୍ୟ ମେଳା।

କଟକ ବାଲିଯାତ୍ରା ପଡ଼ିଆଠାରେ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି ୧୫ତମ କଟକ ବୈଶାଖୀ ବାଣିଜ୍ୟ ମେଳା। ମାର୍ଚ୍ଚ ୨୯ରୁ ଏହି ମେଳା ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ଚାଲିବ। ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବାକୁ ଥିବା ଏହି ମେଳାରେ ୪୫୦ଟି ବ୍ୟବସାୟିକ ଷ୍ଟଲ ସାଙ୍ଗକୁ ୭୦ଟି କର୍ପୋରେଟର ଷ୍ଟଲ ସ୍ଥାନ ପାଇଛି।

ମେଳା ଆୟୋଜନ କମିଟିର ଅଧ୍ୟକ୍ଷ ମଧୁସୂଦନ ସାହୁଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୁଚି ଉଦ୍ୟୋଗର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମେଳା କମିଟିର ପୃଷ୍ଠପୋଷକ ଆଶୀର୍ବାଦ ବେହରା, ବିନୋଦ ଦାସ, ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ, ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ, ରମଜାନ ଖାଁ, ଧର୍ମେଶ ନାୟକ ପ୍ରମୁଖ ଯୋଗଦେଇଥିଲେ।

ଦ୍ୱିତୀୟ ବାଲିଯାତ୍ରା ଭାବେ ବିବେଚିତ ହେଉଥିବା ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନଙ୍କ ବାଣିଜ୍ୟରେ ଅଭିବୃଦ୍ଧିର ସୁଯୋଗ ଦେବା ସହିତ ଜନସାଧାରଣଙ୍କୁ ମନୋରଂଜନର ଖୋରାକ ଯୋଗାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟିର ସଂଯୋଜକ ଦେବୀ ପ୍ରସାଦ ଦାସ, ସଂଜୀବ ବେହେରା, ଦିଲିପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ବୈଶାଖୀ ବାଣିଜ୍ୟ ମେଳାରେ ସମୁଦାୟ ୫୨୦ଟି ଷ୍ଟଲ ଖୋଲାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତ ଯଥା ପଶ୍ଚିମବଙ୍ଗ, ଗୁଜୁରାଟ, ଆସାମ, ଝାଡ଼ଖଣ୍ଡ, ହରିୟାନା ପ୍ରଭୃତି ଅଞ୍ଚଳରୁ ଆସିଥିବା ବ୍ୟବସାୟୀମାନେ ମେଳାରେ ବ୍ୟବସାୟ କରୁଛନ୍ତି। ଉଠା ଦୋକାନୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ହସ୍ତଶିଳ୍ପର ବିକ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କ୍ଷୁଦ୍ର, ମଧ୍ୟମ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ବିଭିନ୍ନ ବର୍ଗର ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି।

ମେଳାର ମୁଖ୍ୟ ଆକର୍ଷଣ ରହିଛି ଫୁଡ କୋର୍ଟ। ରାଜସ୍ଥାନୀ ଖାଦ୍ୟ, ହାଇଦ୍ରାବାଦ ବିରିୟାନୀ, ଥାଇଫୁଡ ମୋମୋ, କଟକର ପ୍ରସିଦ୍ଧ ଦହିବରା ପ୍ରମୁଖ ଖାଦ୍ୟ ଏଠାରେ ଉପଲବ୍ଧ ହେଉଛି। ପ୍ରଥମ ଦିନରେ ଜନସାଧାରଣ ଏହି ଖାଦ୍ୟଗୁଡ଼ିକର ବେଶ ଭରପୂର ମଜା ଉଠାଇଥିଲେ। ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଦୋଳି ଓ ମୀନାବଜାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଅବସରରେ ତରୁଣ ଓ ଉପଲବ୍ଧ ପ୍ରତିଷ୍ଠା କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ମେଳାରେ ବରିଷ୍ଠ ନାଗରିକମାନଙ୍କ ପାଇଁ  ମଧ୍ୟ ବ୍ୟବସ୍ଥା କରାଯାଇଛି। ସବୁ ବର୍ଷ ଭଳି ଏଥର ମଧ୍ୟ ଦୁଇ ଦିନ ଏପ୍ରିଲ ୧ ଓ ୨ ତାରିଖରେ ପିଲାଙ୍କ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ମେଳା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Comment