ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଏବେ ସବୁଠି ନିର୍ବାଚନୀ ମଳୟ ବହୁଛି। ଆଉ ଦିନକେଇଟା ପରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ଏହାରି ଭିତରେ ପ୍ରାୟ ସମସ୍ତଦଳ ସେମାନଙ୍କର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛନ୍ତି।

ବିଜେପିରେ ନିକଟରେ ସାମିଲ ହୋଇଛନ୍ତି ବିଜୟ ମହାପାତ୍ର। ଜାତୀୟ ଓ ରାଜ୍ୟ ସ୍ତରର ନେତାମାନେ ବିଜୟଙ୍କ ମାନ ଭଞ୍ଜନ କରିଥିଲେ ଯାହାପରେ ସେ ପୁଣିଥରେ ପଦ୍ମଫୁଲରେ ସାମିଲ ହୋଇଥିଲେ। ପାଟକୁରା ଆସନ ଲାଗି ବିଜେପି ପ୍ରାର୍ଥୀ କରିଛି ବିଜୟ ମହାପାତ୍ରଙ୍କୁ।

ବିଜୟ ବିଜେପିରେ ସାମିଲ ହେଲା ପରେ ତାଙ୍କ ଜୋଡ଼ିଦାର ଦିଲ୍ଲୀପ ରାୟଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜୟ ଓ ଦିଲ୍ଲୀପ ଏକାଠି ବିଜେପି ଛାଡ଼ିଥିଲେ।

ଏହାରି ଭିତରେ ଦିଲ୍ଲୀପଙ୍କୁ ଗୁରୁବାର ରାଉଲକେଲାରେ ଦେଖିବାକୁ ମିଳିଛି। ଦିଲ୍ଲୀପ ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ଲାଗି ଅନେକ ସମର୍ଥକ ପହଞ୍ଚିଥିଲେ।

‘‘ମୁଁ ଖୁବ୍‌ଶୀଘ୍ର ପଦକ୍ଷେପ ନେବି’’ , ଆଗକୁ କଣ ପଦକ୍ଷେପର ଉତ୍ତରରେ ଏମିତି କହିଛନ୍ତି ଦିଲ୍ଲୀପ ରାୟ।

ଏହାସହ ସେ ବିଜୟ ମହାପାତ୍ରଙ୍କ ସହ କୌଣସି ଆଲୋଚନା କରିନଥିବା କହିଛନ୍ତି। ତେବେ ଦିଲ୍ଲୀପ ବିଜେପି ଛାଡ଼ିବା ପରେ ଏହା ହେଉଛି ତାଙ୍କର ଦ୍ୱିତୀୟ ରାଉରକେଲା ଗସ୍ତ।

ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଦିଲ୍ଲୀପଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ବିଜୟଙ୍କ ପରେ ଦିଲ୍ଲୀପଙ୍କୁ ମନାଇବାରେ ବିଜେପି ସଫଳ ହେବ ବୋଲି ରାଜନୈତିକ କରିଡ଼ରରେ ଚର୍ଚ୍ଚା ଜୋର ଧରିଛି।

Comment