ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

“ଥରେ ବିଜେପିକୁ ଦାୟିତ୍ୱ ଦିଅ। ୫ ବର୍ଷରେ ଓଡ଼ିଶା ୧ ନମ୍ବର ରାଜ୍ୟରେ ପରିଣତ ହେବ। ବଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଏଥର ସରକାର ବାଛନ୍ତୁ। ୫ ବର୍ଷରେ ମୋଦି ସରକାର ଗରିବି ହଟାଇବାକୁ  ବହୁ କାମ କରିଛନ୍ତି।” କେନ୍ଦୁଝର ସଭାରେ କେନ୍ଦ୍ର ସରକାରଙ୍କ ସଫଳତା ବଖାଣି ଏଭଳି ଉଦବୋଧନ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ସଭାରେ ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସ୍ମରଣ କରିଛନ୍ତି ଶାହ।ଏଥିସହ ପୁଲୱାମାରେ ସହିଦ ୨ ଓଡ଼ିଆଙ୍କୁ ବି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଲେ

“ଆପଣଙ୍କୁ ଏମିତି ମୁଖ୍ୟମନ୍ତ୍ରୀ ଦରକାର ଯିଏ ଆପଣଙ୍କ ଭାଷାରେ କଥା ହେବ। ୧୯ ବର୍ଷ ପରେ ବି ନବୀନ ଓଡ଼ିଆରେ କଥା ହୋଇପାରୁନାହାନ୍ତି। ୧୯ ବର୍ଷ ହେଲା ନବୀନ ଏଠି ଅଛନ୍ତି, ପାଣି ଟୋପେ ମିଳୁନି। ଏଠି ପିଇବା ପାଣଇ ପାଣି ମିଳୁନି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ହଜାର ହଜାର ଓଡ଼ିଆ ଯୁବକ କାମ ପାଇଁ ବାହାରକୁ ଯାଉଛନ୍ତି। ନବୀନଙ୍କ ପାଖରେ ଥିବା ବାବୁଲୋକ ଭ୍ରଷ୍ଟାଚାର କରୁଛନ୍ତି। ଆମ ସରକାର ଆସିଲେ ଚିଟଫଣ୍ଡର ତଦନ୍ତ ହେବ। ଚିଟଫଣ୍ଡ ଲୁଟେରା ଜେଲ ଯିବେ”, କହିଛନ୍ତି ଶାହ।

ଡିଏମ୍‌ଏଫ୍‌ରେ କେନ୍ଦୁଝରକୁ ୧୬ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି।  କେନ୍ଦୁଝର ମେଡିକାଲ କଲେଜ ଡିଏମ୍‌ଏଫ୍‌ ପାଣ୍ଠିରେ ହେଉଛି। ବନଜାତ ଦ୍ରବ୍ୟର ସମର୍ଥନ ମୂଲ୍ୟ ବି ମୋଦି ସରକାର କରିଛନ୍ତି। କେନ୍ଦୁଝରରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ଶାହ କହିଛନ୍ତି।

ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ଶାହ। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହାକୁ କେହି ନେଇ ପାରିବେ ନାହିଁ ବୋଲି ଶାହ କହିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ଶାହ ଆଜି ଓଡ଼ିଶା ଆସିଛନ୍ତି। ଏପ୍ରିଲ ୧୭ରେ ବି ଶାହ ପୁଣିଥରେ ଓଡ଼ିଶା ଆସିବେ।