ଓଡ଼ିଶାଲାଇଭ୍ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ଦିନକୁ ଦିନ ବଢୁଛି ତାତି। ସହରର ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁଲାଣି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଜନସାଧାରଣ ପ୍ରବଳ ଗରମରେ ଶୀତଳ ପାନୀୟ ଜଳ ପାଇଁ ଫ୍ରିଜ୍ ଓ ୱାଟର୍ ଚିଲର୍ ଉପରେ ନିର୍ଭର କରୁଥିବା ବେଳେ ସହରର ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ପାରମ୍ପାରିକ ମାଟି ପାତ୍ର ଉପରେ ନିର୍ଭର କରୁଛନ୍ତି। ତେଣୁ ସହରରେ ମାଟିରେ ନିର୍ମିତ ସୁରେଇ ଓ ମାଠିଆ ଆଦି ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

ଏହାଛଡ଼ା କଲିକତି ମାଟି ହାଣ୍ଡିର ଆଦର  ଗ୍ରାହକଙ୍କ ମଧ୍ୟରେ ବେଶ୍ ରହିଛି। ସହରର ବିଭିନ୍ନ ସ୍ଥାନ ଯଥା ରାଣୀହାଟ, ମଙ୍ଗଳାବାଗ, କଲେଜଛକ, ବକ୍ସିବଜାର, ନୂଆବଜାର, ପ୍ରେସଛକ, ମେଡିକାଲ ଛକ, ମାଲଗୋଦାମ, ଚୌଧୁରୀ ବଜାର ଆଦି ସ୍ଥାନରେ ଥିବା ହାଣ୍ଡି ମାଠିଆ ଦୋକାନରେ ମାଟି ପାତ୍ର ସବୁ ବିକ୍ରି ହେଉଛି।

ସହରର ବେଲେଶ୍ୱର, ବିଡ଼ାନାସୀ, କୁମ୍ଭାରସାହି, ମତଗଜପୁର, ୪୨ମୈାଜାସ୍ଥିତ ଅଇନି ଓ ବାରଙ୍ଗସ୍ଥିତ ଫୁଲପୋଖରୀ ଆଦି ଅଞ୍ଚଳରେ ବସବାସ କରୁଥିବା କୁମ୍ଭକାରମାନେ ଗ୍ରୀଷ୍ମଋତୁରେ ମାଟିରେ ସୁରେଇ, ମାଠିଆ, ଜଗ୍, ଗ୍ଲାସ ଆଦି ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ଚିକିଟା ମାଟିକୁ ସ୍ୱଳ୍ପ ବାଲି ମିଶାଇ ଚକଟାଯାଇ ପାଗ କରାଯାଏ।

ତା’ପରେ କୁମ୍ଭାର ଚକରେ ମାଟି ପିଣ୍ଡୁଳାକୁ ଥୋଇ ବିଭିନ୍ନ ଆକୃତିର ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ। ଏହାପରେ ପ୍ରସ୍ତୁତ ହୋଇଥିବା କଞ୍ଚା ମାଟିର ପାତ୍ରକୁ ଉଆ ଭାଟିରେ ରଖାଯାଇ କାଠ ଦ୍ୱାରା ପୋଡ଼ାଯାଇ ବିଭିନ୍ନ ସାମଗ୍ରୀ ତିଆରି କରାଯାଇଥାଏ।

ସାଧାରଣତଃ ମାଟିର ଧର୍ମ ହେଉଛି ଜୀବାଣୁ ନଷ୍ଟ କରିବା। ପୋଡ଼ା ମାଟି ପାତ୍ରରେ ଜଳ ରଖିଲେ ତାହା ବିଶୁଦ୍ଧ ହୋଇଥାଏ ଏବଂ ଥଣ୍ଡା ମଧ୍ୟ ରହିଥାଏ। ଖରାଦିନେ ମାଟି ପାତ୍ରରେ ପାଣି ପିଇବା ଚାହିଦା ସେଥିଲାଗି ବୃଦ୍ଧି ପାଇଛି। ତେଣୁ ଜନସାଧାରଣ ମାଠିଆ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ମାଟି ନିର୍ମିତ ପାଇପ ଲାଗିଥିବା ସୁରେଇର ଦାମ୍ ୩୦୦ରୁ ୫୦୦ ଟଙ୍କା ମଧ୍ୟରେ ରହିଛି। ଏହାଛଡ଼ା ଗ୍ଲାସର ଦାମ୍ ଦେଢ଼ ଶହ ଟଙ୍କା ଓ ଜଗ୍ର ଦାମ୍ ୨୫୦ ଟଙ୍କା ଓ ମାଠିଆର ଦାମ୍ ୩୦୦ ଟଙ୍କା ରହିଛି।

ସେହିପରି କଲିକତି ମାଟି ହାଣ୍ଡିର ଚାହିଦା ଗ୍ରାହକଙ୍କ ମଧ୍ୟରେ ରହିଥିବା ଜଣାପଡ଼ିଛି। ନାଲି ପୋଡ଼ା ମାଟି ହାଣ୍ଡି ବିଭିନ୍ନ ଆକୃତିର ହୋଇଥିବା ବେଳେ ଏଥିରେ ଏକ ଟ୍ୟାପ୍ ଲାଗିଛି। ଏହି ପାତ୍ରଗୁଡ଼ିକ କଲିକତାରୁ ଆସୁଥିବାରୁ ଏହା କଲିକତି ମାଟି ହାଣ୍ଡି ଭାବେ ବେଶ୍ ପରିଚିତ ହୋଇଛି। ଚଳିତ ବର୍ଷ ଏହି କଲିକତି ମାଟି ହଣ୍ଡିର ଦାମ୍ ୨୫୦ରୁ ୩୦୦ ଟଙ୍କା ମଧ୍ୟରେ ରହିଛି।

ଖରାଦିନେ ମାଟି ନିର୍ମିତ ପାତ୍ରକୁ କିଣିବା ଲାଗି ବହୁ ଗ୍ରାହକ ଆସୁଛନ୍ତି ଓ ଏଥିରୁ ଭଲ ଆୟ ହେଉଛି ବୋଲି ବ୍ୟବସାୟୀ ପ୍ରମୋଦ ସାହୁ କହିଛନ୍ତି। କେବଳ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ନୁହେଁ ଧନିକ ଶ୍ରେଣୀର ଲୋକେ ମଧ୍ୟ ଏହି ମାଟି ପାତ୍ରକୁ କିଣୁଛନ୍ତି ବୋଲି ସାହୁ କହିଛନ୍ତି।

ମାଟି ନିର୍ମିତ ସାମଗ୍ରୀର ଆଦର ପୂର୍ବରୁ ଅଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ମାଟିରେ ସାମଗ୍ରୀ ପ୍ରସ୍ତୁତ କରୁଥିବା ଶିଳ୍ପୀ ଦିଲ୍ଲିପ ମୁଦୁଲି କହିଛନ୍ତି। ପୂର୍ବରୁ ମାଟିରେ ନିର୍ମିତ ସାମଗ୍ରୀ ପ୍ରସ୍ତୁତ କରି ଭଲ ଆୟ ହେଉଥିଲା ବୋଲି କୁମ୍ଭକାର ଅଶୋକ ବେହେରା କହିଛନ୍ତି। ସଂପ୍ରତି ପୂର୍ବ ଭଳି ଆଉ ଉଚ୍ଚମାନର ମାଟି  ମିଳୁନଥିବା ବେଳେ କାଠର ମୂଲ୍ୟ ବୃଦ୍ଧି ହେବା ଯୋଗୁଁ କୁମ୍ଭକାରମାନଙ୍କର ଆଉ ପୂର୍ବ ଭଳି ଆୟ ହେଉନାହିଁ ବୋଲି ସେ କହିଛନ୍ତି।

ଚଳିତବର୍ଷ ରୈାଦ୍ରତାପର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମାଟି ନିର୍ମିତ ସୁରେଇ, ମାଠିଆ, ଜଗ୍ ଆଦି ସାମଗ୍ରୀର ବିକ୍ରି ଭଲ ହେବ ବୋଲି କାରିଗର ଓ ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି।

Comment