ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଚଳିତ ଓଡ଼ିଶା ବିଧାନସଭା ନିର୍ବାଚନରେ ଯଦି ଗୋଟିଏ ଆସନ ଉପରେ ସମସ୍ତଙ୍କର ଆଖି ଲାଖି ରହିଛି ତାହା ହେଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଆସନ। ୧୮ ତାରିଖରେ ଏଠି ଭୋଟ ଗ୍ରହଣ କରାଯିବ। ତେବେ ଏହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନର ମାହୋଲ ଆଦୌ ନାହିଁ କହିଲେ ଚଳେ। କାଁ ଭାଁ ପୋଷ୍ଟର ଓ ନିର୍ବାଚନ ପ୍ରଚାର ଗାଡିକୁ ଛାଡିଦେଲେ ଲୋକଙ୍କ ଭିତରେ ସେଭଳି କିଛି ଉତ୍ସାହ ଆଖିରେ ପଡ଼ୁନାହିଁ। ଅବଶ୍ୟ ନିର୍ବାଚନ ପାଇଁ  ପ୍ରସ୍ତୁତି ଜୋରସୋରରେ ଚାଲିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠି ଅଧିକ ସତର୍କତାର ସହ ନିର୍ବାଚନ କାମ କାମ କରାଯାଉଛି। ହେଲେ ଭୋଟରଙ୍କ ଭିତରେ କିମ୍ବା କର୍ମୀଙ୍କ ଭିତରେ ସେଭଳି କୌଣସି ତତ୍ପରତା ଲକ୍ଷ୍ୟ କରାଯାଉ ନାହିଁ।

ଜିତିକି ଅଛନ୍ତି

ହିଞ୍ଜିଳି ଆସନରୁ ନବୀନଙ୍କ ଜିତିବା ଏତେ ସୁନିଶ୍ଚିତ ଯେ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ଆତ୍ମସନ୍ତୋଷ ରାଜୁତି କରିବାକୁ ଆରମ୍ଭ କଲାଣି। ନବୀନ ଏଠାରୁ ପଞ୍ଚମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି ଓ ସମସ୍ତେ ଜାଣନ୍ତି ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ପୁଣି ଥରେ ନିର୍ବାଚିତ ହେବେ ହିଁ ହେବେ।

ଅପରପକ୍ଷେ ନବୀନଙ୍କ ବିରୋଧୀ ବିଜେପିର କେବଳ ପିତାମ୍ବର ଆଚାର୍ଯ୍ୟଙ୍କୁ ହିଁ ବେଳେବେଳେ ଦେଖିବାକୁ ମିଳୁଛି। ବିଜେପିର ଅନ୍ୟ କେହି ନେତା ଓ କର୍ମୀ ପ୍ରାୟ ଆଖିରେ ପଡ଼ୁନାହାନ୍ତି। ନବୀନଙ୍କ ପ୍ରଭାବ ଏଠି ଏତେ ବେଶୀ ଯେ ବିରୋଧୀ ପ୍ରାର୍ଥୀ ଆଚାର୍ଯ୍ୟ ରାଲିଟିଏ ବି କରିପାରୁନାହାନ୍ତି କାରଣ ତାଙ୍କୁ ଲୋକ ମିଳୁନାହାନ୍ତି। ଇତି ମଧ୍ୟରେ ନବୀନ ଥରେ ପ୍ରଚାର ପାଇଁ ଆସିଥିବା ବେଳେ ବିଜେପିର କେହି ବି ଦେଖାନାହାନ୍ତି ବୋଲି ଭୋଟର କହୁଛନ୍ତି।

ପିତାମ୍ବର ଆଚାର୍ଯ୍ୟଙ୍କ କିନ୍ତୁ କହିବା କଥା ଯେ ନବୀନଙ୍କ ଜିତିବା ପୂର୍ବ ଭଳି ଏତେ ସହଜ ନୁହେଁ। ଭୟରେ ଲୋକେ ସାମ୍ନାକୁ ଆସୁନାହାନ୍ତି କିନ୍ତୁ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସେମାନଙ୍କର ପୂରା ରାଗ ରହିଛି ବୋଲି ପିତାମ୍ବର କହିଛନ୍ତି।

କେତେ ଭୋଟ?

କିଛି ସ୍ଥାନୀୟ ବିଜେଡି ନେତାଙ୍କ କହିବା ଅନୁଯାୟୀ ନବୀନ ଏଥର ବି ୧୦୦ ପ୍ରତିଶତ ଜିତିବେ। ୨୦୧୪ ନିର୍ବାଚନରେ ନବୀନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶିବରାମ ପାତ୍ରଙ୍କୁ ପ୍ରାୟ ୭୭ ହଜାର ଭୋଟରେ ହରାଇଥିଲେ। ତା’ ପୂର୍ବ ନିର୍ବାଚନରେ ବି କଂଗ୍ରେସର ରାଘବ ପରିଡ଼ାଙ୍କୁ ୬୧ ହଜାର ଭୋଟରେ ନବୀନ ହରାଇଥିଲେ। ପୂର୍ବ ନିର୍ବାଚନମାନଙ୍କରେ ନବୀନଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ୧୩ %ରୁ ଅଧିକ ଭୋଟ ପାଇନଥିଲେ।

ଯାହା ଲାଗୁଛି ଏଥର ବି ନବୀନ ନିଶ୍ଚିତ ଭାବରେ ତାଙ୍କର ପାରମ୍ପରିକ ହିଞ୍ଜିଳି ଆସନରୁ ନିର୍ବାଚିତ ହେବେ। ହେଲେ ଦ୍ୱିତୀୟ ସ୍ଥାନ ବିଜେପିର ପିତାମ୍ବର ଆଚାର୍ଯ୍ୟଙ୍କୁ ମିଳିପାରେ ଓ କଂଗ୍ରେସର ଶମ୍ଭୁନାଥ ପାଣିଗ୍ରାହୀ ତୃତୀୟ ସ୍ଥାନକୁ ଚାଲି ଯାଇ ପାରନ୍ତି।

Comment