ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ହଜାର ହଜାର ଲୋକଙ୍କ ସାମ୍ନାରେ ବିଜେପି କର୍ମୀ ମଙ୍ଗୁଳି ଜେନାଙ୍କୁ ମନେ ପକାଇଲେ ମୋଦି।

ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଖୋର୍ଦ୍ଧା ଜିଲ୍ଲା ୯ ନମ୍ବର ଜୋନର  ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଘଟଣାକୁ ସେ ନିନ୍ଦା କରିବା ସହ ମଙ୍ଗୁଳିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ହଜାର ହଜାର ଲୋକଙ୍କ ସାମ୍ନାରେ ମୋଦି ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ମଙ୍ଗୁଳି ଜେନାଙ୍କ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯଦି ବିଜେପି ସରକାରକୁ ଆସେ। ଏହାକହି ମୋଦି ତୃଣମୂଳ ସ୍ତରରେ ଥିବା କର୍ମୀଙ୍କ ମନୋବଳକୁ ଦୃଢ କରିଛନ୍ତି।

‘‘କିଛି ବ୍ୟକ୍ତି ନିଜର ଅସହିଷ୍ଣୁତା ରଖି ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରିଛନ୍ତି, ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା । ଏଭଳି ରାଜନୀତିକୁ ମୁଁ ଘୃଣା କରେ।’’ ସେ ଆହୁରି ମଧ୍ୟ କହିଛନ୍ତି ମୋର ସମବେଦନା ମଙ୍ଗୁଳିଙ୍କ ପରିବାର ସହିତ ରହିଛି ଏବଂ ମୁଁ ପ୍ରତିଶ୍ରୁତି ଦେଉଛି ଯେ ଯେଉଁଦିନ ବିଜେପି ସରକାର କ୍ଷମତାକୁ ଆସିବ ସେହିଦିନ ହିଁ ମଙ୍ଗୁଳିଙ୍କୁ ନ୍ୟାୟ ମିଳିବ ଓ ପ୍ରକୃତ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯିବ।

ପୂର୍ବରୁ ରାଜ୍ୟ ବିଜେପି ଏହି ଘଟଣା ରାଜନୈତିକ ଷଡଯନ୍ତ୍ର ରଖି କରାଯାଇଥିବା ଅଭିଯୋଗ କରିଥିଲେ। ଏପରିକି ଟାଉନଥାନା ଆଗରେ ବିଜେପି କର୍ମୀ ଓ ସମର୍ଥକ ଧାରଣାରେ ବସିଥିଲେ।

ଖୋର୍ଦ୍ଧା ୯ ନମ୍ବର ଜୋନର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ କିଏ ଓ କାହିଁକି ମଙ୍ଗୁଳିଙ୍କୁ ହତ୍ୟା କରିଛି ତାହା ଏଯାଏଁ ଅସ୍ପଷ୍ଟ ଅଛି। ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ରାଜ୍ୟ ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବିଜେଡିର ଏନେଇ କିଛି ପ୍ରତିକ୍ରିୟା ମିଳିପାରିନାହିଁ।

ରବିବାର ରାତି ପାଖାପାଖି ସାଢ଼େ ୧୧ଟା ବେଳେ ମଙ୍ଗୁଳି ନବନୀବାଗରେ ଥିବା ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ। ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସହ ଆଲୋଚାନ କରି ସେ ଫେରୁଥିଲେ। ଏହି ସମୟରେ ହଠାତ୍ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ଗୁଳି ମାଡ଼କରି ଫେରାର ହୋଇଯାଇଥିଲେ। ଦୁଇଟି ଗୁଳି ତାଙ୍କ ବାମପଟେ ଛାତିରେ ବାଜିଥିଲା। ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ  କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ପୋଲିସ୍ ମହା ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ଶର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଏକ ଟିମ୍ ଖୋର୍ଦ୍ଧା ପହଞ୍ଚି ଏକ ତଦନ୍ତ ଆରମ୍ଭ କରିଛି। ସେହିପରି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ତଦନ୍ତର ଅଗ୍ରଗତି ଉପରେ ନିଜେ ନଜର ରଖିଛନ୍ତି। ନିର୍ବାଚନ ଆଗକୁ ଥିବା ବେଳେ ସବୁ ଦିଗକୁ ଧ୍ୟାନରେ ରଖି ତଦନ୍ତ କରାଯାଉଥିବାର ସୂଚନା ମିଳିଛି।

Comment