ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(କଟକରୁ ପ୍ରଣବ ନନ୍ଦୀ) : କେନ୍ଦ୍ର ନେତାଙ୍କ ଫୋକସରେ ରହିଛି ଓଡିଶା। ଏହି କ୍ରମରେ ଗୁରୁବାର ସନ୍ଧ୍ୟାରେ ମହାନଦୀବିହାରସ୍ଥିତ ସେଲିବ୍ରେସନ ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ବିଜେପି ନେତ୍ରୀ ଉମା ଭାରତୀ ଦଳ ପାଇଁ ପ୍ରଚାର କରିଛନ୍ତି।

ଏହି ସମାବେଶରେ ଯୋଗଦେଇ ଉମା ଭାରତୀ ଉପସ୍ଥିତ ଜନସମୂହକୁ ପ୍ରଣାମ କରିବା ସହ ଭାରତ ମାତା କି ଜୟ କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ।

ସେ କହିଥିଲେ, ‘‘ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ସରକାର ବାସ୍ତବରେ ବିକାଶ ବିରୋଧୀ।  ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଯେତିକି ଅନୁଦାନ ଦେଇଛନ୍ତି ତାହା ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରି ନାହିଁ। ରାଜ୍ୟ ସରକାର କେନ୍ଦ୍ରକୁ ଅସହଯୋଗ କରି ଆସିଛନ୍ତି।’’

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସେ କହିଥିଲେ ଯେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନେଇ ସେ ବିବାଦର ସମାଧାନ ନିମନ୍ତେ ଉଦ୍ୟମ କରିଥିଲେ। ହେଲେ ତାହା ସମ୍ଭବ ହୋଇପାରି ନଥିଲା।

‘‘ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର ହୋଇଥିଲେ ହେଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବରୁ ତାହା ଠିକ୍ ଭାବେ କାମରେ ଲାଗିପାରୁ ନାହିଁ। ଓଡିଶାବାସୀ ବହୁ ସରଳ ହୋଇଥିବାରୁ ସେମାନଙ୍କୁ ରାଜ୍ୟ ସରକାର ଭୂଆଁ ବୁଲାଉଛନ୍ତି। ଏହାର ଜବାବ ଓଡ଼ିଶାବସୀ ଚଳିତ ନିର୍ବାଚନରେ ଦେବେ’’, କହିଛନ୍ତି ଉମା ଭାରତୀ।

ଏହି ଅବସରରେ କଟକ ଲୋକସଭା ଆସନର ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର କହିଥିଲେ ଯେ ବର୍ତ୍ତମାନ ପରିସ୍ଥିତିରେ ଭାରତ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଦେଶର ଏକତା ଓ ଅଖଣ୍ଡତା ପ୍ରତି ଆତଙ୍କବାଦ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଆମ ପଡୋଶୀ ଦେଶ ମଧ୍ୟ ଆମ ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛି। ଏସବୁ ସମସ୍ୟାର ଉପଯୁକ୍ତ ସମାଧାନ ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦୃଢ ଓ ସ୍ଥିର ସରକାର ଆବଶ୍ୟକ।

ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ୱାର-କଟକ ବିଧାନସଭା ପ୍ରାର୍ଥୀ ନୟନ କିଶୋର ମହାନ୍ତି, ବିଜେପି ନେତା ବିନୋଦ ଦାସ, କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comment