ଓଡ଼ିଶାଲାଇଭ୍ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ସାମୁଦ୍ରିକ ଝଡ଼ ଫନି ଏବେ ଓଡ଼ିଶା ମୁହାଁ ହୋଇଛି। ଏହାର ପ୍ରଭାବରେ କଟକରେ ବର୍ଷା ଓ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ମୁକାବିଲା ନେଇ କଟକ ଜିଲ୍ଲା ପ୍ରଶାସନ ଓ ସିଏମସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଶେଷକରି ଜଳ ନିଷ୍କାସନ ସିଏମସି ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜାଇକା କାମ ପାଇଁ ଅବରୋଧ ହୋଇଥିବା ଡ୍ରେନ ସମେତ ବିଭିନ୍ନ ଗେଟର ସ୍ଥିତି ସିଏମସି ପକ୍ଷରୁ ସମୀକ୍ଷା କରାଯାଇଛି। ଗତବର୍ଷ ଜଳବନ୍ଦୀ ସମସ୍ୟା ଉପୁଜିଥିବା ବେଳେ ଏବର୍ଷ ସମାନ ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ସିଏମସି ଅଧିକାରୀମାନେ ସଜାଗ ରହିଛନ୍ତି।

ସିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟାର ପ୍ରଭାବ କଟକରେ ବୃଦ୍ଧି ହେବା ମାତ୍ରେ ଚିହ୍ନଟ ହୋଇଥିବା ପ୍ରାୟ ୪୪ଟି ବସ୍ତିର ବାସିନ୍ଦାମାନଙ୍କୁ ସ୍ଥାନୀୟ ସ୍କୁଲ, ମଣ୍ଡପ ଓ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ବ୍ୟବସ୍ଥା କରାଯିବ।

ଏହାସହ ସହରରେ ଥିବା ସ୍ଲୁଇସ୍ ଗେଟକୁ ଜରୁରିକାଳୀନ ପରିସ୍ଥିତିରେ ଖୋଲାଯିବ। ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପଙ୍କ ଉଦ୍ଧାର କରାଯାଇ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ। ସହରବାସୀଙ୍କ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ ହେବା ସହିତ ଜଳ ନିଷ୍କାସନ ପାଇଁ ଭଲଭୋ ପମ୍ପ ପ୍ରସ୍ତୁତ ରଖାଯାଇଛି।

ସହରର ଧବଳେଶ୍ୱର ପଠା, କାଠଯୋଡ଼ି ବିହାର, ପଟ୍ଟାପୋଲ, ମକରବାସାହି, ମେରିଆବଜାର, ତିନିକୋଣିଆ ବଗିଚା, କଦମ ରସୁଲ, ସାମନ୍ତସାହି, ବେପାରୀସାହି, କୃଷକ ବଜାର ଭଳି ୪୪ଟି ତଳିଆ ଅଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଚିହ୍ନଟ କରାଯାଇଛି।

ଏହି ବସ୍ତିରେ ୩ ହଜାର ୭୦୦ ଘର ଥିବା ବେଳେ ୧୬ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ଏଣୁ ସେମାନଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ସମେତ ସହରର ସରକାରୀ ଓ ବେସରକାରୀ ସ୍କୁଲ ଆଦିରେ ଥଇଥାନ  କରାଯିବାର ଯୋଜନା ଜିଲ୍ଲା ପ୍ରଶାସନ ଓ ସିଏମସି ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏଠାରେ ଲୋକମାନଙ୍କୁ ରଖାଯିବା ସହ ଖାଦ୍ୟ, ପାନୀୟ, ଔଷଧ ଓ ଆଲୋକ ବ୍ୟବସ୍ଥା କରାଯାଇଛି।

ସେହିପରି ଜାଇକା ପ୍ରକଳ୍ପରେ କାମ ଚାଲିଥିବାରୁ ସହରର ମୁଖ୍ୟ ଦୁଇ ଡ୍ରେନର ବିଭିନ୍ନ ସ୍ଥାନରେ ଅବରୋଧ ରହିଛି। ମାତୃଭବନ, ରେଲୱେ କ୍ରସିଂ ଗେଟ ସହ ବିଦ୍ୟାଧରପୁର ଅଞ୍ଚଳରୁ ମାଟି ଓ ପଙ୍କ ସଫା କରିବାକୁ ଜାଇକା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ମାତୃଭବନ, ଖାନନଗର, ଯୋବ୍ରା, ମତଗଜପୁରଠାରେ ଥିବା ସୁଇସ ଗେଟଗୁଡ଼ିକ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି।

ସହରର ଖାଲୁଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ୨୮ଟି ଭଲଭୋ ପମ୍ପ ସହ ୨୫୦ରୁ ଅଧିକ ଛୋଟ ବଡ଼ ପମ୍ପ ଲାଗିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ବିକାଶ ଭବନରେ କାର୍ଯ୍ୟ କରୁଥିବା କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟ କରିବ।

ସେହିପରି ରିଲିଫ ସାମଗ୍ରୀ ବଣ୍ଟନ ପାଇଁ ଟିମ୍ ଗଠନ କରାଯାଇଛି। ଓଡ଼ିଶା ରିଲିଫ କୋଡ୍ ଅନୁଯାୟୀ ଏହି କାର୍ଯ୍ୟ କରାଯିବ। ପାନୀୟ ଜଳ ବ୍ୟବସ୍ଥା ପାଇଁ ଜନସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ଜଣାଇଦିଆଯାଇଛି। ସେହିପରି ସଂକ୍ରାମକ ରୋଗ ଯେଭଳି ନ ବ୍ୟାପେ ସେଥିପାଇଁ ନଗର ସ୍ୱାସ୍ଥ୍ୟ ଅଧିକାରୀ। ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହିତ ଆବଶ୍ୟକ ଔଷଧ ଆଦି ମହଜୁଦ କରି ରଖିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସିଏମସି ପକ୍ଷରୁ ଅବଗତ କରାଯାଇଛି।

Comment