ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ପରେ କଟକ ସହରକୁ ଫେରିଲା ମାସ୍କ କଟକଣା। ସହରରେ କୋଭିଡ ସଂକ୍ରମଣ ପୁଣିଥରେ ଉପରମୁହାଁ ହେଉଥିବା ଦେଖି କଟକ ମହାନଗର ନିଗମ (ସିଏମସି) ପୁଣିଥରେ କୋଭିଡ କଟକଣାକୁ କଡ଼ାକଡ଼ି କରିଛି। ସହରର ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି।

କଟକ ସହରରେ କୋଭିଡ କଟକଣା କଡ଼ାକଡ଼ି ନେଇ ସିଏମସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିର କୁହାଯାଇଛି ଯେ, କଟକ ଏବଂ କଟକ ବାହାରୁ ଆସୁଥିବା ଲୋକମାନେ ସହରର ସର୍ବସାଧାରଣ ସ୍ଥାନରେ ସଠିକ୍ ଭାବେ ମାସ୍କ ପିନ୍ଧିବେ। ସେହିପରି ପରସ୍ପର ମଧ୍ୟରେ ୨ ମିଟର ସାମାଜିକ ଦୂରତ୍ୱ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।

ଅନ୍ୟପଟେ ସହରର ସମସ୍ତ ସପିଙ୍ଗ୍‌ ମଲ୍‌ ଏବଂ ଦୋକାନଗୁଡ଼ିକରେ ଗ୍ରାହକମାନେ ଯେପରି ମାସ୍କ ଏବଂ ସାମାଜିକ ଦୂରତ୍ୱ ନିୟମ ପାଳନ କରିବେ ସେଥିପ୍ରତି ଦୋକାନ ମାଲିକାମାନେ ଧ୍ୟାନ ଦେବାକୁ ସିଏମସି ପକ୍ଷରୁ କୁହାଯାଇଛି।

ସେହିପରି ନିୟମିତ ହାତ ଧୋଇବା ସହ କୋଭିଡ୍‌ର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ପରୀକ୍ଷା କରାଇନେବା ସହ ବାହାରେ ପାନ ଛେପ ନପକାଇବାକୁ ସିଏମସି ଜନସାଧାରଣଙ୍କୁ ପରାମର୍ଶ ଦେଇଛି।ସହରର ସମସ୍ତ ସରକାରୀ ଏବ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନେ ଯେପରି କୋଭିଡ ଉପଯୋଗୀ ନିୟମ ସଠିକ୍ ଭାବେ ପାଳନ କରିବେ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ସିଏମସି ବିଜ୍ଞପ୍ତିର ପ୍ରକାଶ କରିଛି।

Tags: #Mask #Covid19 #Cuttack #CuttackMunicipalCorporation #CMC #କଟକ #କଟକମହାନଗରନିଗମ

Comment