ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ବାତ୍ୟା ଫନିର ମୁକାବିଲା ଲାଗି ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛୁ। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ଜିରୋ କାଜୁଆଲିଟି ହେଉଛି ଆମର ମିଶନ।’’

ସଚିବାଳୟରେ ବାତ୍ୟା ଫନି ମୁକାବିଲା ପାଇଁ ସମୀକ୍ଷା କରିବା ପରେ ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ। ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ‘ଫନି’ ମୁକାବିଲା ପାଇଁ ପ୍ରଶାସନ ପୂରା ସଜାଗ ହୋଇ ରହିଛି।

୮ ଲକ୍ଷ ଲୋକ ହେବେ ସ୍ଥାନାନ୍ତର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୧୭ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ବାତ୍ୟା ଫନିରେ ଯେମିତି ବଡ଼ ଧରଣର କ୍ଷୟକ୍ଷତି ନହୁଏ ସେଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୮ ଲକ୍ଷ ଲୋକଙ୍କୁ ଗୁରୁବାର ଅପରାହ୍ଣ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପୂର୍ବରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଫନି ମୁକାବିଲା ପାଇଁ ଓଡ଼ିଶା ସରକାର ପୂରା ପ୍ରସ୍ତୁତ ବୋଲି କହିଥିଲେ।

ଏସ୍ଆରସି ବିଷ୍ଣୁପଦ ସେଠୀ କହିଥିଲେ, ‘’୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଆମର ବ୍ୟବସ୍ଥା ଅଛି। ୧ ଲକ୍ଷ ପ୍ୟାକେଟ ଶୁଖିଲା ଖାଦ୍ୟ ମହଜୁଦ ଅଛି। ଆବଶ୍ୟକ ପଡ଼ିଲେ ଏୟାରଡ୍ରପିଂ କରାଯିବ।’’

ଏନଡିଆରଏଫ୍, ଓଡ୍ରାଫ ଟିମ୍ ସଜାଗ

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି। ଉଦ୍ଧାର ଏବଂ ବାତ୍ୟା ସମୟରେ ଲୋକଙ୍କୁ ସହଯୋଗ କରିବା ପାଇଁ ୨୮ ୟୁନିଟ ଏନଡିଆରଏଫ୍, ୨୦ ୟୁନିଟ ଓଡ୍ରାଫ, ଅଗ୍ନିଶମ ବିଭାଗର ୩୩୫ଟି ୟୁନିଟ ସଜାଗ ରହିଛନ୍ତି। ସେହିପରି ୮୮୦ ବାତ୍ୟା ଆଶ୍ରୟସ୍ଥଳୀକୁ ପୂରା ପ୍ରସ୍ତୁତ ରଖିଛି ପ୍ରଶାସନ।

ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା ମଧ୍ୟ ଫନି ପାଇଁ ସଜାଗ ରହିଛନ୍ତି। ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜାହାଜ ସହ ପ୍ରସ୍ତୁତ ହୋଇ ରହିଛନ୍ତି। ଆବଶ୍ୟକ ପଡ଼ିଲେ ବାୟୁସେନା ଓ ସ୍ଥଳସେନାଙ୍କୁ ବି ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବ।

ସ୍କୁଲ-କଲେଜ ଛୁଟି, ପରୀକ୍ଷା ବାତିଲ

ବାତ୍ୟାକୁ ଦୃଷ୍ଟିରେ ରଖି ୨ରୁ ୪ ତାରିଖ ଯାଏଁ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି। ଏହା ସହ ଏହି ସମୟରେ ହେବାକୁ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ବିପିୟୁଟିର ସମସ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି।

ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ୧୫ ଦିନ ଯାଏଁ ବାତିଲ କରିଛନ୍ତି ସରକାର।

ଟ୍ରେନ ବାତିଲ

ଓଡ଼ିଶା ଉପକୂଳକୁ ଛୁଇଁବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟା ‘ଫନି’ ପାଇଁ ଟ୍ରେନ୍‌ ସେବା ବାତିଲ କରିଛି ପୂର୍ବତଟ ରେଲୱେ। ପୂର୍ବତଟ ରେଲୱେ ପ୍ରଥମ ପର୍ଯ୍ୟାୟରେ ୭୪ଟି ଟ୍ରେନ୍‌ ବାତିଲ କରିବା ପାଇଁ ଘୋଷଣା କରିଛି। ବାତ୍ୟା ପାଇଁ ଟ୍ରେନ୍‌ ସେବା ପ୍ରଭାବିତ ହେବାର ଆଶଙ୍କା ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଆସନ୍ତାକାଲି ଭଦ୍ରକ ବିଜୟନଗରମ୍‌ ମଧ୍ୟରେ ଟ୍ରେନ୍‌ ଚଳାଚଳ ବାତିଲ। ଭୁବନେଶ୍ୱର ଏବଂ ପୁରୀକୁ ଆସୁଥିବା ସମସ୍ତ ଟ୍ରେନ୍‌ ମଧ୍ୟ ବାତିଲ ହୋଇଛି। ସେହିପରି ମେ ୩’ରେ ପୁରୀ ଓ ଭୁବନେଶ୍ୱରରୁ ବାହାରୁଥିବା ସମସ୍ତ ଟ୍ରେନ୍‌ ବାତିଲ ହୋଇଛି।

ମେ’ ୨ରେ ହାୱଡାରୁ ପୁରୀ ରାତ୍ରୀକାଳୀନ ଟ୍ରେନ୍‌ ବାତିଲ ହୋଇଛି। ସେହିପରି ମେ ୩’ରେ ପୁରୀ ଏବଂ ଭୁବନେଶ୍ୱର ଯାତାୟତ କରୁଥିବା ସମସ୍ତ ଟ୍ରେନ୍‌ ବାତିଲ ପାଇଁ ପୂର୍ବତଟ ରେଲୱେ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ବାତ୍ୟା ‘ଫନି’ର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ବାତ୍ୟାରେ ଯେମିତି କିଛି କ୍ଷୟ କ୍ଷତି ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୧୧ ଜଣ ଆଇପିଏସ୍ ଅଫିସରଙ୍କୁ ୧୧ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ଆଇପିଏସ୍ ଅଫିସର ଏସ କେ ଉପାଧ୍ୟାୟଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ଜଗତସିଂହପୁର, ବିନୟତୋଷ ମିଶ୍ରଙ୍କୁ ଭଦ୍ରକ, ଆର୍ ପି କୋଚେଙ୍କୁ ଭଦ୍ରକ, ଏସ୍ କେ ପ୍ରିୟଦର୍ଶିଙ୍କୁ ପୁରୀ, ଅରୁଣ ବୋଥ୍ରାଙ୍କୁ କେନ୍ଦ୍ରାପଡ଼ା, ଅମିତାଭ ଠାକୁରଙ୍କୁ ଗଞ୍ଜାମ, ଘନଶ୍ୟାମ ଉପାଧ୍ୟାୟଙ୍କୁ ନୟାଗଡ଼, ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ବାଲେଶ୍ୱର, ନିଖିଳ କୁମାର କନୋଦିଆଙ୍କୁ କଟକ ଏବଂ ସିଫେନ ଅହମ୍ମଦ କେଙ୍କୁ ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ୧୨ଜଣ ଆଇଏଏସଙ୍କୁ ୯ ଜିଲ୍ଲାର ଦାୟିତ୍ୱ ମିଳିଛି। ପୁରୀ ଜିଲ୍ଲା ପାଇଁ ସୁରେଶ ମହାପାତ୍ର ରହିଥଲା ବେଳେ ଜଗତସିଂହପୁର ଦାୟିତ୍ୱରେ ଅଛନ୍ତି ପ୍ରଦୀପ୍ତ ମହାପାତ୍ର।

ସେହିପରି  କେନ୍ଦ୍ରାପଡ଼ା ଦାୟିତ୍ୱରେ ହେମନ୍ତ କୁମାର ପାଢ଼ୀ ଓ ପ୍ରଦୀପ କୁମାର ଜେନା, ଯାଜପୁର ଲାଗି ଅନିଲ ସାମଲ, ବାଲେଶ୍ୱର ଲାଗି ପ୍ରେମଚାନ୍ଦ ଚୌଧୁରୀ ଏବଂ ଅବଦଲ ଅଖତରଙ୍କୁ ଦାୟିତ୍ୱ ମିଳିଛି।

ଭଦ୍ରକ ପାଇଁ ସୁଦର୍ଶନ ପାଲ ଠାକୁର, କଟକ ପାଇଁ ସଞ୍ଜୀବ ଚୋପ୍ରା, କଟକ ମ୍ୟୁନିସିପାଲ କର୍ପୋରେସନ ପାଇଁ ସଂଗ୍ରାମଜିତ ନାୟକ, ଜଗତସିଂହପୁର ଲାଗି ଶାଶ୍ୱତ ମିଶ୍ର, ଖୋର୍ଦ୍ଧା ଲାଗି କୃଷ୍ଣ କୁମାର ନିୟୋଜିତ ହୋଇଛନ୍ତି।

ତେବେ ଭୁବନେଶ୍ୱର ଏସଆରସି ଅଫିସରେ ଅତିରିକ୍ତ ଅଫିସରରେ ଭାବେ ଦାୟିତ୍ୱ ତୁଲାଇବେ ମୋନିସା ବାନାର୍ଜୀ ସଂପୃକ୍ତ  ଜିଲ୍ଲାର ରିଲିଫ୍, ଥଇଥାନ ଦାୟିତ୍ୱରେ ରହିବେ ଏହି ଅଫିସର। ଆଜି ସନ୍ଧ୍ୟା ସୁଦ୍ଧା ୫ ଅଫିସର ସଂପୃକ୍ତ ଜିଲ୍ଲାରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି।

Comment