ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରରେ ବ୍ୟାପକ କ୍ଷତି କରିଛି ‘ଫନି’।

ପୁରୀ ସହରକୁ ଛାରଖାର କରି ଦେଇଛି ବାତ୍ୟା ‘ଫନି’। ଫନିର ପ୍ରକୋପରେ ପୁରୀରେ କେଉଁଠି ବସ୍ ଓଲଟି ପଡ଼ିଛି ତ ପୁଣି କେଉଁଠି ବଡ଼ ବଡ଼ ଗଛ ରାସ୍ତାରେ ଶୋଇ ପଡ଼ିଛି। ପୁରୀର ବିଭିନ୍ନ ବସ୍ତିରେ ପାଣି ପଶି ଯାଇଥିବା ବେଳେ ବଡ଼ଦାଣ୍ଡ ମଧ୍ୟ ଜଳମଗ୍ନ ହୋଇଯାଇଥିଲା। ତେବେ ଫନିର ପ୍ରଭାବରୁ ବାଦ୍ ପଡ଼ି ନଥିଲା ଶ୍ରୀମନ୍ଦିର। ଶ୍ରୀମନ୍ଦିର ବି ଫନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲା।

ଶ୍ରୀମନ୍ଦିର ପ୍ରବେଶ ପଥରେ ଥିବା ଜୟ ବିଜୟଙ୍କ ମୂର୍ତ୍ତି ତଳକୁ ଖସି ପଡ଼ିଥିଲା। ଶ୍ରୀମନ୍ଦିର ପରିସରରେ ଥିବା କଳ୍ପବଟ୍ଟ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଆନନ୍ଦବଜାରରେ ଥିବା ଗଛ ମଧ୍ୟ ଭାଙ୍ଗି ଯାଇଛି।

ଶ୍ରୀମନ୍ଦିର ଭିତରେ ଥିବା ବ୍ୟାରିକେଡ୍ ବି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୂଚନା କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। ସୂଚନା କେନ୍ଦ୍ରରେ ଲାଗିଥିବା ହୋର୍ଡିଂ ମଧ୍ୟ ପବନରେ ଉଡ଼ି ଯାଇଥିବା ଜଣାପଡ଼ିଛି।

ରଥଖଳାରେ ପାଣି ଜମି ରହିଥିବା ବେଳେ ବଡ଼ଦାଣ୍ଡର ବିଭିନ୍ନ ଖାଲୁଆ ସ୍ଥାନରେ ପାଣି ଜମି ରହିଛି।

ଶୁକ୍ରବାର ସକାଳ ୮ଟାରୁ ୧୦ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା ‘ଫନି’। ଫନି ପ୍ରଭାବରେ ପୁରୀରେ ଘଣ୍ଟାକୁ ୧୭୫ କିଲୋମିଟର ବେଗରେ ପବନ ବହିଥିଲା। ପୁରୀ ସହର ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି।

Comment