ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ତାଣ୍ଡବ ରଚି ଚାଲି ଯାଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନି। ଫନି ଅଧିକାଂଶ ଲୋକଙ୍କ ଘର ଭାଙ୍ଗି ଦେଇଥିବାରୁ ପ୍ରଭାବିତ ଲୋକେ ବାତ୍ୟା ଆଶ୍ରୟସ୍ଥଳ ଉପରେ ନିର୍ଭର କରି ରହିଛନ୍ତି। ତେବେ ବାତ୍ୟା ଆଶ୍ରୟସ୍ଥଳରେ ଲୋକଙ୍କର ବାସ୍ତବ ଜୀବନ କେମିତି କଟୁଛି ତାହା ଆଜି ପରଖିଥିଲା ଓଡ଼ିଶାଲାଇଭ୍ ଟିମ୍।

ଭୁବନେଶ୍ୱରର ନୟାପଲ୍ଲୀ, କଳାରାହାଙ୍ଗ, ପାଣ୍ଡରା ଆଦି ବାତ୍ୟା ଆଶ୍ରୟସ୍ଥଳ ବୁଲିବା ସହ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲା ଆମ ଟିମ୍।

‘‘ବାତ୍ୟା ପୂର୍ବରୁ ଆମେ ଏଠାକୁ ଆସିଛୁ। ବାତ୍ୟାରେ ଆମ ଘର ଦୁଆର ସବୁ ଭାଙ୍ଗି ଯାଇଛି। ଏବେ ବାତ୍ୟା ଛାଡ଼ି ଯାଇଥିବାରୁ ଘର ତିଆରି କାମ ଆରମ୍ଭ କରିଛୁ। ଘର ଉପରେ ପଡ଼ିଥିବା ଗଛକୁ କାଟୁଛୁ। ଦିନ ବେଳେ ଘର କାମ କରି ସନ୍ଧ୍ୟାରେ ପୁଣି ବାତ୍ୟା ଆଶ୍ରୟସ୍ଥଳକୁ ଫେରି ଆସୁଛୁ’’, କହିଛନ୍ତି ପାଣ୍ଡରା ଅଞ୍ଚଳର ସୁଲ ମହାଳିକ।

ବାତ୍ୟା ଆଶ୍ରୟସ୍ଥଳରେ ଆମକୁ ତିନି ଥର ଖାଇବାକୁ ଦିଆଯାଉଛି। ସକାଳେ, ଦିପହରେ ଏବଂ ରାତିରେ ଖାଇବାକୁ ମିଳୁଛି। ଆମ ପଟେ ପୁରୁଛି ସତ, ହେଲେ ବାତ୍ୟା ଆମ ଘର ଉଜାଡ଼ି ଦେଇଥିବାରୁ ମନ ଭାଙ୍ଗି ଯାଇଛି ବୋଲି କହିଛନ୍ତି ସୁଲ।

ବାତ୍ୟା ଆଶ୍ରୟସ୍ଥଳରେ ମହିଳା, ଶିଶୁ, ଝିଅ ଏବଂ ବୟସ୍କ ଲୋକ ଅଛନ୍ତି। ବାତ୍ୟା ଆଶ୍ରୟସ୍ଥଳରେ ଗୋଟିଏ ବଡ ହଲରେ ସମସ୍ତଙ୍କୁ ରହିବାକୁ ପଡୁଛି। ଯେଉଁଠି ସ୍କୁଲ କିମ୍ବା ଅଙ୍ଗନବାଡ଼ି ଘରେ ଆଶ୍ରୟସ୍ଥଳ ଖୋଲା ଯାଇଛି ସେଠି ମହିଳା, ପୁରୁଷଙ୍କ ପାଇଁ ଅଲଗା କୋଠରୀ ରହିଛି। ହେଲେ ମହିଳାଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ନାହିଁ।

‘‘ଏଠାରେ ନରହିବା ଛଡ଼ା ଆଉକିଛି ରାସ୍ତା ନାହିଁ। ଶୋଇବାରେ ଆମକୁ ଅସୁବିଧା ହେଉଛି ସତ, ସବୁଠୁ ବଡ଼ ଅସୁବିଧା ଶୌଚାଳୟ। ତେବେ ବାତ୍ୟା ବେଳେ ସରକାର ଖାଇବାକୁ ଦେଇ ରହିବାକୁ ଜାଗା ଦେଉଥିବାରୁ ତାଙ୍କୁ ଆମେ ଧନ୍ୟବାଦ ଦେଉଛୁ’’, କହିଛନ୍ତି ଆଶ୍ରୟସ୍ଥଳରେ ରହୁଥିବା ଝିଅ ମିଲି ନାୟକ।

ବାତ୍ୟାରେ ଘର ଭାଙ୍ଗି ଯାଇଥିବାରୁ ଆହୁରି ୧୫ ଦିନ ଯାଏଁ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Comment