ଓଡ଼ିଶାଲାଇଭ ବ୍ୟୁରୋ

”୧୯୯୯ ମହାବାତ୍ୟାକୁ ବଳିଗଲା ଫନି। ଆମର ସବୁକିଛି ଛଡ଼ାଇ ନେଇଛି। ବାତ୍ୟାର ତିନିଦିନ ଯାଏଁ କିଛି ଖାଇବାକୁ ନଥିଲା। ଭାଗ୍ୟକୁ ଆଦରି ରହିଥିଲୁ”, ଏହା ହେଉଛି ପିପିଲିର ଉତ୍ତମ ବେହେରାଙ୍କ ଅଙ୍ଗେଲିଭା କାହାଣୀ।

ମେ’ ୩ ଶୁକ୍ରବାର ଫନି ତା’ର ତାଣ୍ଡବ ରଚିଲା। ପୁରୀ ଜିଲ୍ଲା ପିପିଲି ଅଞ୍ଚଳକୁ ଛାରଖାର କରିଦେଲା ଫନି। ବାତ୍ୟା ଛାଡ଼ି ଯିବା ପରେ ପିପିଲିର କିଛି ଲୋକଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ। ବାତ୍ୟା ସମ୍ପକର ପଚାରିଥିଲା। ସେମାନେ ସେମାନଙ୍କ ଅଙ୍ଗେଲିଭା କାହାଣୀ ବଖାଣିଥିଲେ।

ସେହିପରି ଆଉ ଜଣେ ପ୍ରଭାବିତ ବାତ୍ୟା କଥା ମନେପକାଇ କାନ୍ଦି ପକାଇଥିଲେ। ସୁବାସ ଚନ୍ଦ୍ର ଲୁହଭିଜା ଆଖିରେ କହଛନ୍ତି, ”ମୋ ଆଖି ସାମ୍ନାରେ ସବୁକିଛି ଛାରଖାର ହୋଇଗଲା। ଏବେ ଆମ ପାଖରେ ରୋଷେଇ କରିବାକୁ କିଛି ନାହିଁ। କେତେଦିନ ଲାଗିବ ସବୁଠିକ୍ ହେବାକୁ ତାହା ବି ଜାଣିନି। ୪ ଛୁଆକୁ ନେଇ ମୋ’ ସଂସାର। ଆଗକୁ କଣ ହେବ କିଛି ବୁଦ୍ଧିବାଟ ଦିଶୁନି।”

”କଣ କରିବୁ କିଛି ଜାଣିପାରୁନି। ପିନ୍ଧିବା ଲାଗି ଲୁଗାଖଣ୍ଡିଏ ବି ନାହିଁ। ବାତ୍ୟା ସମସରେ ମୁଣ୍ଡ ଗୁଞ୍ଜିବା ଲାଗି ଯେଉଁଠିକି ଗଲୁ ସେଠାରେ ବି ସମାନ ପରିସ୍ଥିତି। କେବେ ସବୁ ଠିକ୍ ହେବ ଭାବିଲା ବେଳକୁ କିଛି ବୁଦ୍ଧିବାଟ ଦିଶୁନାହିଁ’’, ପିପିଲି ବାସିନ୍ଦା କୁନ୍ତଳା ବାରିକ କହିଛନ୍ତି।

ଫନି ପ୍ରଭାବରେ ପିପିଲିର ବିଭିନ୍ନ ଗାଁରେ ବ୍ୟାପକ କ୍ଷତି ହୋଇଛି। ଚାଷଜମି କ୍ଷତିଗ୍ରସ୍ତ ହେବା ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବାରୁ ବିଜୁଳି ସରବରାହ ବ୍ୟାହତ ହୋଇଛି। ପିପିଲିରେ କେବେ ସ୍ଥିତି ସ୍ୱାଭାବିକ ହେବ ତାହା ହିଁ ଏବେ ବଡ଼ ପ୍ରଶ୍ନ।

Comment