ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି। ସୋମବାର ୭୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ ସୂଚନା ଦେଇଛନ୍ତି।

ଯୁଧିଷ୍ଠିର ସାମନ୍ତରାୟ ଗତ କିଛି ମାସ ହେବ ଅସୁସ୍ଥ ଥିଲେ। ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ କଂଗ୍ରେସ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି।

ପିପିଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଟାଣୁଆ ନେତା ଭାବେ ବେଶ ପରିଚିତ ଥିଲେ ଯୁଧିଷ୍ଠିର ସାମନ୍ତରାୟ। ସେ ୧୯୮୪ରୁ ୧୯୯୦ ମସିହା ପର୍ଯ୍ୟନ୍ତ ଥିଲେ ପିପିଲିର ବ୍ଲକ ଚେୟାରମ୍ୟାନ ଥିଲେ। ସେ ୧୯୯୫ ମସିହାରେ ପିପିଲିରୁ ବିଧାନସଭା ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ।

ଯୁଧିଷ୍ଠିର ସାମନ୍ତରାୟ ୧୯୯୫ରୁ ୨୦୦୦ ମସିହା ଯାଏଁ ପିପିଲିର ବିଧାୟକ ଥିଲେ। ପିପିଲିରେ ଏହାପରେ ହୋଇଥିବା ନିର୍ବାଚନଗୁଡ଼ିକରେ ସେ ଲଢ଼ିଥିଲେ ମଧ୍ୟ ଜିତି ପାରିନଥିଲେ। ଏଠାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀ ସହ ତାଙ୍କର ନିର୍ବାଚନୀ ଟକ୍କର ଦେଖିବାକୁ ମିଳୁଥିଲା। ୨୦୧୪ ମସିହାରେ ସେ ଶେଷ ଥର ପାଇଁ ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ।    

Tags: #YudhistirSamantaray #FormerMLA #CongressLeader #Pipili #Odisha

Comment