ଓଡ଼ିଶାଲାଇଭ୍ ବ୍ୟୁରୋ

ସପ୍ତମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆଜି ସନ୍ଧ୍ୟାରେ ରୋଡ ସୋ’ କରିବା ବେଳେ ହିଁ ହିଂସାକାଣ୍ଡ ହୋଇଛି। ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି।

ଏନେଇ ଅମିତ ଶାହ ଟିଏମସି ଏବଂ ଏହାର ନେତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଶାହ କହିଛନ୍ତି ଯେ ବିଜେପିର ରୋଡ ସୋ’ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଟିଏମ୍‌ସି କର୍ମୀ ଅଚାନକ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ। ରାଲି ଉପରକୁ ଢେଲା ମାଡ଼ କରିଥିଲେ। ଫଳରେ ପରିସ୍ଥିତି ଅଣାୟତ ହୋଇଯାଇଥିଲା। ବିଜେପିର ରାଲିକୁ ଭଣ୍ଡୁର କରିବା ପାଇଁ ଏହା ଟିଏମସିର ସୁଚିନ୍ତିତ ଯୋଜନା ବୋଲି ଶାହ କହିଥିଲେ।

ଅମିତ ଶାହ ଆହୁରି କହିଛନ୍ତି, ‘‘ମୁଁ ସାରା ଦେଶ ବୁଲୁଛି। ବିଭିନ୍ନ ରାଜ୍ୟରେ ରୋଡ ସୋ’ ଏବଂ ସଭାରେ ଯୋଗ ଦେଉଛି। ହେଲେ ପଶ୍ଚିମବଙ୍ଗରେ କାହିଁକି ହିଂସାକାଣ୍ଡ ହେଉଛି। ଏହାର ଜବାବ ଭୋଟରମାନେ ଏଥର ଦେବେ।’’

ଆଜି ସକାଳୁ ହିଁ ବିବାଦ ଆରମ୍ଭ ହୋଇଥିଲା। ଅମିତ ଶାହଙ୍କ ଗସ୍ତକୁ ନେଇ ବିଜେପି କର୍ମୀମାନେ ଉତ୍ସାହିତ ଥିଲେ। ବିଭିନ୍ନ ଛକରେ ବିଜେପିର ପୋଷ୍ଟର ବ୍ୟାନର ଲାଗିଥିଲା। ଅମିତ ଶାହଙ୍କୁ ସ୍ୱାଗତ କରିବା ଲାଗି ବିଭିନ୍ନ ଛକରେ ତୋରଣ ଲାଗିଥିଲା।

ଟିଏମସ କର୍ମୀମାନେ ବିଜେପିର ପୋଷ୍ଟର, ବ୍ୟାନର ଚରିଥିବା ଅଭିଯୋଗ ହୋଇଥିଲା। ଏହାସହ ତୋରଣକୁ ନେଇ ମଧ୍ୟ କୋଲକାତା ପୋଲିସ ବିଜେପିକୁ ପ୍ରଶ୍ନ କରିଥିଲା। ରୋଡ ସୋ’ ପାଇଁ ଅନୁମତି ଥିବା ବେଳେ କାହିଁକି ତୋରଣ କରାଯାଇଛି ବୋଲି ପ୍ରଶ୍ନ କରିଥିଲା ପୋଲିସ। ଏହାକୁ ନେଇ ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

ସନ୍ଧ୍ୟାରେ ରୋଡ ସୋ’ ବେଳେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଏହି ବିବାଦ ପଛରେ କୋଲକାତା ପୋଲିସର ହାତ ଥିବା ବିଜେପି ଅଭିଯୋଗ କରିଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment