ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋସହ ମିମ୍ କରିବା ମହଙ୍ଗା ପଡ଼ିଛି ବିଜେପି କର୍ମୀ ପ୍ରିୟଙ୍କା ଶର୍ମାଙ୍କୁ। ପ୍ରିୟଙ୍କାକୁ ସୁପ୍ରିମକୋର୍ଟ ବେଲ୍ ଦେଇଛନ୍ତି। ପ୍ରିୟଙ୍କା ଜେଲରୁ ବାହାରିବା ମାତ୍ରେ ତୁରନ୍ତ ଲିଖିତଭାବେ ମମତାଙ୍କୁ କ୍ଷମା ମାଗିବେ, ଏହାସହିତ କାହା ଭାବନାକୁ ଆଘାତ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ନଥିବା ବି ଲେଖିବା ନେଇ ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟ ଏନେଇ ଶୁଣାଣି କରୁଥିବା ସମୟରେ କହିଛନ୍ତି କି ଆପଣ କୌଣସି ସାଧାରଣ ବ୍ୟକ୍ତି ନୁହଁ ବରଂ ରାଜନୈତିକ ପାର୍ଟିର ସଦସ୍ୟ।

ପୂରା ଘଟଣା ଥିଲା କିଛି ଏମିତି। ଯେତେବେଳେ ଆମେରିକାର ମେଟାଗାଲା ଇଭେଣ୍ଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ସ୍ଵତନ୍ତ୍ର ପ୍ରକାରର ଡ୍ରେସ ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ। ଏହାର କିଛିସମୟ ପରେ ପ୍ରିୟଙ୍କାଙ୍କ ଏହି ଲୁକ୍ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଏହାର କିଛିସମୟ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କ ଏହି ଲୁକର ଫଟୋ ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ଫଟୋସପରେ ଏଡିଟ୍ କରାଯାଇଥିଲା।

ଏହି ଫଟୋକୁ ବିଜେପି ଯୁବମୋର୍ଚ୍ଚାର କର୍ମୀ ପ୍ରିୟଙ୍କା ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାପରେ ଆରମ୍ଭ ହୋଇଥିବା ବିବାଦ। ଏପରିକି ମେ ୧୦ରେ ପ୍ରିୟଙ୍କାଙ୍କୁ ପୋଲିସ ଗିରଫ କରିବା ସହ ୧୪ଦିନ ଲାଗି ଜେଲ ପଠାଇଦେଇଥିଲା।

ଏହି ଘଟଣାକୁ ନେଇ ବିଜେପି ଓ ଟିଏମସି କର୍ମୀ ମୁହାଁମୁହିଁ ହୋଇଥିଲେ। ଏହାପରେ ସୋସିଆଲ ମିଡିଆରୁ ଏହି ଫଟୋକୁ ଡିଲିଟ୍ କରାଯାଇଥିଲା। ପ୍ରିୟଙ୍କାଙ୍କ ମାଙ୍କ କହିବାକଥା ଏହି ଫଟୋକୁ ଅନେକ ଲୋକ ସେୟାର କରିଛନ୍ତି, ମାତ୍ର ତାଙ୍କଝିଅଙ୍କୁ ଏଥିଲାଗି ଗିରଫ କରାଯାଇଛି କାରଣ ସେ ବିଜେପିର କର୍ମୀଥିଲେ।

Comment