ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାଇବା ପାଇଁ ଅର୍ଡର କରିଥିବା ପ୍ୟାକେଟରୁ ପନିର ପରିବର୍ତ୍ତେ ବାହାରିଲା ମୂଷା। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଫରିଦାବାଦରେ ଘଟିଛି। ଏକ ନାମୀ ରେସ୍ତୋରାଁରୁ ଯୁବକ ଜଣଙ୍କ ଖାଇବା ପାଇଁ ଶାହି ପନରି  ପ୍ୟାକେଟ ଆଣିଥିଲେ। ଘରକୁ ଆସି ଯେତେବେଳେ ପ୍ୟାକେଟ ଖୋଲନ୍ତି ସେଥିରୁ ମୂଷା ବାହାରିଥିଲା। ଏହାକୁ ଦେଖି ଯୁବକଙ୍କ ହୋସ୍ ଉଡିଯାଇଥିଲା। ପରେ ଯୁବକଜଣଙ୍କ ପୁଣି ରେସ୍ତୋରାଁ ଯିବା ସହ ରୋଷେଇ ହେଉଥିବା ସ୍ଥାନ ବୁଲି ଦେଖିଥିଲେ।  ସେଠାରେ ଖାଲି ମୂଷା ନୁହନ୍ତି ଅସରପା ଆଉ ଛୋଟ ଛୋଟ ପୋକ ଏକାଠି ରହିଥିବା ଦେଖିଥିଲେ। ଏହି ଘଟଣାକୁ ନେଇ ଯୁବକ ଜଣଙ୍କ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି।

ଭିଡିଓଟି ଭାଇରାଲ ହେବା ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ରେସ୍ତୋରାଁରେ ଚଢ଼ାଉ ହୋଇଥିଲା। ରେଡ୍ ବେଳେ ଅଧିକାରୀ ଯାହା ଦେଖିଲେ ତାଙ୍କର ନିଦ ହଜି ଯାଇଥିଲା। ରୋଷେଇ ଶାଳରେ ଜିନିଷପତ୍ର ସହ ପରିବାପତ୍ର ଏଣେତେଣେ ପଡ଼ିରହିଥିଲା। ଅଟାରେ ପୋକ ସାଲୁବାଲୁ ହେବା ସହ ଅସରପା ଭର୍ତ୍ତି ଥିଲେ। ମଇଳା ହୋଇଥିବା ରୋଷେଇ ହାଣ୍ଡିଗୁଡ଼ିକରେ କଟା ପରିବାର ପଡ଼ି ରହିଥିଲା। ପରିବାପତ୍ରକୁ ଅଧିକାରୀମାନେ ଫୋପାଡ଼ିବା ସହ ମଇଳା ବାସନକୁ ସଫା କରାଇଥିଲେ।

ରେଡ୍ ବେଳେ ବିଭାଗ ପକ୍ଷରୁ ରେସ୍ତୋରାଁର କର୍ମଚାରୀଙ୍କୁ ପ୍ରବଳ ଭର୍ତ୍ସନା କରିବା ସହ ଚେତାବନୀ ମଧ୍ୟ ଦେଇଛନ୍ତି। ରେସ୍ତୋରାଁରେ ପଡ଼ିଥିବା ଅଟା, ପନିର ଏବଂ ଟମାଟୋ ସସର ସାମ୍ପଲ ଆଣି ପରୀକ୍ଷା ପାଇଁ ଚଣ୍ଡୀଗଡ଼ ପଠାଇଛି ବିଭାଗ। ରିପୋର୍ଟ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଖାଦ୍ୟ ନିରାପତ୍ତା ବିଭାଗର ଅଫିସର ପୃଥ୍ୱୀ ସିଂ।

Comment