ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନର ଲୋକଙ୍କ ସହ ଅମାନବୀୟ ଅତ୍ୟାଚାର ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଠିକ ସମୟରେ କାମ ନସରିବାରୁ ଚୀନର ଏକ କମ୍ପାନି ତାହାର କର୍ମଚାରୀଙ୍କୁ ପରିସ୍ରା ପିଆଇବା ସହ ଅସରପା ଖୁଆଇଛି।

ଚୀନର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଥିବା ଗାଇଜୋରେ ଏହି କମ୍ପାନି ରହିଛି। କୋଠା ପୁନଃ ନିର୍ମାଣ କାମ କରୁଥିବା ଏହି କମ୍ପାନି ନିଜ କର୍ମଚାରୀଙ୍କୁ ନିର୍ଯାତନା ଦେଉଥିବା ବେଳର ଭିଡିଓ ଚୀନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ଭିଡିଓ ଭାଇରାଲ ହେବାପରେ କମ୍ପାନିର ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ଜେଲ ଯିବାକୁ ପଡ଼ିଛି। କୌଣସି କାରଣବଶତଃ କାର୍ଯ୍ୟାଳୟକୁ ବିଳମ୍ବରେ ଆସିବା କିମ୍ବା ଫର୍ମାଲ ଡ୍ରେସ କି ଜୋତା ପିନ୍ଧି ନଥିଲେ କମ୍ପାନି ସମ୍ପୃକ୍ତ କର୍ମଚାରୀଙ୍କଠାରୁ ଜୋରିମାନା ଆକାରରେ ୫୦ ୟେନ ଆଦାୟ କରୁଥିବା ଜଣେ ପୂର୍ବତନ କର୍ମଚାରୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଏଭଳି ଅତ୍ୟାଚାର ସତ୍ତ୍ୱେ ବିଭିନ୍ନ କାରଣ ଯୋଗୁଁ ଏହି କମ୍ପାନିର କର୍ମଚାରୀମାନେ ଚାକିରୀ ଛାଡ଼ିନାହାନ୍ତି। କର୍ମଚାରୀଙ୍କୁ ଜାଣିଶୁଣି ଠିକ ସମୟରେ ଦରମା ମଧ୍ୟ ଦିଆଯାଉନଥିବା ଜଣାପଡ଼ିଛି।

ଚୀନର ସରକାରୀ ଗଣମାଧ୍ୟମ ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓ ଆଧାରରେ କହିଛି ଯେ ସାମାନ୍ୟ ଭୁଲ ପାଇଁ ଏହି କମ୍ପାନିର କର୍ମଚାରୀଙ୍କୁ ଅନ୍ୟ କର୍ମଚାରୀ ଓ ସାଧାରଣରେ ଅକଥନୀୟ ନିର୍ଯାତନା ଦିଆଯାଇଥାଏ।

ଏପରିକି କିଛି କର୍ମଚାରୀଙ୍କୁ ଲଣ୍ଡା ମଧ୍ୟ କରାଯାଇଥାଏ। କେବଳ ଏହି କମ୍ପାନି ନୁହେଁ ବହୁ ଘରୋଇ କମ୍ପାନି କର୍ମଚାରୀଙ୍କଠୁ କାମ ଆଦାୟ କରିବା ପାଇଁ ଏଭଳି ଅମାନବୀୟ କାର୍ଯ୍ୟ କରୁଥିବା ସୂଚନା ମିଳିଛି। କମ୍ପାନିର ତିନି ଜଣ ମ୍ୟାନେଜର ୧୦ ଦିନ ଲେଖାଏଁ ଜେଲଦଣ୍ଡ ଭୋଗିଛନ୍ତି।

Comment