ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରୀ ଚାକିରି ହେଉ ଅବା ବେସରକାରୀ ପ୍ରାୟ ସବୁଠି ୯ରୁ୧୦ଘଣ୍ଟା କାମ କରି ଘରକୁ ଫେରିବା ପରେ ବି ଅନେକଙ୍କୁ ଅଫିସର ଫୋନ କିମ୍ବା ମେଲର ଉତ୍ତର ଦେବାକୁ ପଡିଥାଏ। ଏପରି ହେବା ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେଉଛି। ଚାକିରି କରୁଥିବା ଲୋକଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ସଂସଦରେ ଏକ ବିଲ୍‌ ଉପସ୍ଥାପନ ହୋଇଛି।

ଏନସିପି ସାଂସଦ ସୁପ୍ରିୟା ସୁଲେ ଲୋକସଭାରେ ଏକ ବ୍ୟକ୍ତିଗତ ବିଲ ଉପସ୍ଥାପନ କରିଛନ୍ତି। ଯାହା ଜାଣିବା ପରେ ନିଶ୍ଚିତ ଭାବେ ସବୁ ଚାକିରିଆ କର୍ମଚାରୀ ଖୁସି ହେବେ। ଏହି ବିଲର ନାମ ‘ଦ ରାଇଟ ଟୁ ଡିସକନେକ୍ଟ’ ଦିଆଯାଇଛି। ଏଥିରେ ଏମିତି କିଛି ନିୟମ ଅଛି ଯାହା ଅନୁସାରେ ଅଫିସରୁ ଆସିବା ପରେ କର୍ମଚାରୀ ଅଫିସିଆଲି କୌଣସି ମେଲ କିମ୍ବା ଫୋନ୍‌ର ଉତ୍ତର ନଦେବାର ଅଧିକାର ପାଇବେ। ଏହି ବିଧେୟକରେ କୁହାଯାଇଛି କର୍ମଚାରୀଙ୍କ ମଙ୍ଗଳ ଲାଗି ଏକ କମିଟି ଗଠନ କରାଯିବ ଯେଉଁଥିରେ ଆଇଟି, ଯୋଗଯୋଗ ଓ ଶ୍ରମ ମନ୍ତ୍ରୀ ରହିବେ।

supriya sule

‘ଦ ରାଇଟ ଟୁ ଡିସକନେକ୍ଟ’ ବିଲ୍‌ କର୍ମଚାରୀଙ୍କ ଚିନ୍ତା ଓ ଚାପ କମ କରିବାର ଚିନ୍ତା ନେଇ ଅଣାଯାଇଛି। ଏହାଦ୍ୱାରା କର୍ମଚାରୀଙ୍କ ଉଭୟ ବ୍ୟକ୍ତିଗତ ଓ ଅଫିସ ଭିତରେ ରହୁଥିବା ଚାପକୁ କମ୍‌ କରିବ। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସାଂସଦ ସୁପ୍ରିୟା ସୁଲେ ଲୋକସଭାରେ ପ୍ରାଇଭେଟ ମେମ୍ବର୍ସ ବିଲ ହିସାବରେ ଏହାକୁ ଉପସ୍ଥାପନ କରିଛନ୍ତି।

କେବଳ ଭାରତରେ ଏହାକୁ ବିଲରେ ପରିଣତ କରିବା ଲାଗି ଚର୍ଚ୍ଚା ହେଉନି ବରଂ ବିଦେଶରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ବିଚାର କରାଯାଉଛି। ଏହାରି ଉପରେ ଏକ ନିୟମ ଆଣି ଫ୍ରାନ୍ସରେ ଲାଗୁ କରାଯାଇଛି। ଏହା ଛଡ଼ା ନୁୟର୍କ ଓ ଜର୍ମାନୀରେ ଏହା ଉପରେ ଆଲୋଚନା ଚାଲିଛି। ତେବେ ଭାରତରେ ଯଦି ଏପରି କିଛି ନିୟମ ଆସେ ତେବେ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀ ଉପକୃତ ହୋଇପାରିବେ।

Comment