ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଇପିଏଫ୍ ନିୟମରେ ସାମାନ୍ୟ ପରିବର୍ତ୍ତନ
  • ଚାକିରି ଛାଡ଼ିବାର ଦୁଇ ମାସ ପରେ ମୋଟ ଜମାରାଶି ଉଠାଣ ପାଇଁ ଆବେଦନ
  • ଲଗାତର ୧୦ ବର୍ଷ ଇପିଏଫ୍ ଆକାଉଣ୍ଟରେ ଜମା ହେଉଥିଲେ ମିଳିବ ପେନ୍‌ସନ୍‌

ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫ୍‌ରୁ ଜମାରାଶି ଉଠାଣ ସଂପର୍କିତ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଚାକିରି ଛାଡ଼ୁଥିବା ବା ହରାଉଥିବା କର୍ମଚାରୀଙ୍କ ସୁବିଧାକୁ ଆଖିରେ ରଖି ଏହି ପରିବର୍ତ୍ତନ କରାଯାଇଛି ବୋଲି ଇପିଏଫ୍‌ ସଂସ୍ଥା ପକ୍ଷରୁ କୁହାଯାଇଛି।

ପ୍ରଚଳିତ ନିୟମ ଅନୁସାରେ ଇପିଏଫ୍‌ର କୌଣସି ସଦସ୍ୟ ଚାକିରିରୁ ଇସ୍ତଫା ଦେଲେ କିମ୍ବା ଚାକିରି ହରାଇଲେ ଦୁଇ ମାସ ପରେ ତାଙ୍କର ମୋଟ ଜମାରାଶି ଉଠାଣ ପାଇବା ପାଇଁ ଆବେଦନ କରିପାରିବେ। ଅର୍ଥାତ୍‌ ଇପିଏଫ୍‌ ଆକାଉଣ୍ଟରେ ଲଗାତର ଦୁଇ ମାସ ଟଙ୍କା ଜମା ନହେଲେ ହିଁ ଉଠାଣ ଆବେଦନ ସମ୍ଭବ।

ଏହା ସହିତ ଲଗାତର ୧୦ ବର୍ଷ ଧରି ଇପିଏଫ୍‌ ଆକାଉଣ୍ଟରେ ଜମା ହେଲେ ହିଁ ଜଣେ ସଦସ୍ୟ ପେନ୍‌ସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସେତେବେଳେ ପେନ୍‌ସନ୍‌ ପାଣ୍ଠି ବାବଦରେ କଟିଥିବା ଅର୍ଥ ଉଠାଣ ହୋଇପାରିବ ନାହିଁ। କିନ୍ତୁ ୧୦ ବର୍ଷ ପୂର୍ବରୁ ଜମା ବନ୍ଦ ହୋଇଗଲେ ପେନ୍‌ସନ୍ ମିଳିବ ନାହିଁ। କିନ୍ତୁ ପେନ୍‌ସନ୍‌ ବାବଦ ଜମାରାଶି ଉଠାଇ ପାରିବେ।

୧୯୫୨ ମସିହାର ଇପିଏଫ୍‌ ସ୍କିମ୍‌ରେ ପ୍ରଚଳିତ ଏହି ଦୁଇ ମାସିଆ ନିୟମ ଏବେ ବି ବଳବତ୍ତର ରହିଛି। କିନ୍ତୁ ଜମାରାଶି ଉଠାଣ ସଂପର୍କିତ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁସାରେ ଜଣେ ସଦସ୍ୟ ଚାକିରି ଛାଡ଼ିବାର ମାସେ ପରେ ଇପିଏଫ୍‌ରେ ଥିବା ତାଙ୍କ ମୋଟ ଜମାରାଶିରୁ ୭୫ ପ୍ରତିଶତ ଅଗ୍ରୀମ ଉଠାଣ କରିପାରିବେ। ଏହି ରାଶି ଫେରସ୍ତ କରିବାକୁ ପଡ଼ିବ ନାହିଁ।

୭୫ ପ୍ରତିଶତ ଉଠାଣ ପରେ ବି ଅବଶିଷ୍ଟ ୨୫ ପ୍ରତିଶତ ଜମାରାଶିକୁ ନେଇ ତାଙ୍କ ଆକାଉଣ୍ଟ କାର୍ଯ୍ୟକ୍ଷମ ରହିବ। କିନ୍ତୁ ସେ ଚାହିଁଲେ ଦୁଇ ମାସ ପରେ ସମଗ୍ର ଜମାରାଶି ନେଇପାରିବେ ଏବଂ ଆକାଉଣ୍ଟ ବନ୍ଦ କରିପାରିବେ। ସେହିଭଳି ପୁଣି ଚାକିରି କଲେ ଅବଶିଷ୍ଟ ୨୫ ପ୍ରତିଶତ ଜମାରାଶି ବଳରେ କାର୍ଯ୍ୟକ୍ଷମ ଥିବା ଆକାଉଣ୍ଟରେ ଟଙ୍କା ଜମା କରିହେବ।

କୌଣସି କାରଣରୁ ଚାକିରି ହରାଉଥିବା ବା ଛାଡ଼ୁଥିବା କର୍ମଚାରୀମାନଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇପିଏଫ୍‌ର କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Comment