ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୁରୀରେ ବାତ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
  • ବିଦ୍ୟୁତ ସରବରାହ ସ୍ୱାଭାବିକ ନହେବା ଯାଏଁ କିରୋସିନି
  • ୧୦ ଦିନରେ ଥରେ ମିଳିବ କିରୋସିନି
  • ମାଗଣାରେ ଦିଆଯିବ ୧୦ ଲକ୍ଷ ମହମବତୀ
  • ପ୍ରତି ପରିବାରକୁ ୫୦ କେଜି ଲେଖାଏଁ ଚାଉଳ
  • ରାସନ କାର୍ଡ ନଥିବା ଲୋକ ବି ପାଇବେ ଚାଉଳ
  • ପୁରୀ, କୋଣାର୍କ, ନିମାପଡ଼ାକୁ ଆଜି ରାତିରୁ ବିଜୁଳି

ପୁରୀରେ ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ପୁରୀରେ ସ୍ଥିତି ସ୍ୱାଭାବିକ କରିବା ଉପରେ ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହାସହ ପୁରୀ ପାଇଁ ପ୍ୟାକେଜ ଘୋଷଣା କରିଥିଲେ ନବୀନ।

ପୁରୀରେ ବିଦ୍ୟୁତ ସରବରାହ ସ୍ୱାଭାବିକ ନହେବା ଯାଏଁ ପ୍ରତି ପରିବାରକୁ ଅଢ଼େଇ ଲିଟର ଲେଖାଏଁ କିରୋସିନି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରତି ୧୦ ଦିନରେ ଥରେ ଅଢ଼େଇ ଲିଟର କିରୋସିନ ଦିଆଯିବ।

ସେହିପରି ପ୍ରଭାବିତ ଅଞ୍ଚଳରେ ମାଗଣାରେ ୧୦ ଲକ୍ଷ ମହମବତୀ ବଣ୍ଟନ କରାଯିବ। ପ୍ରତି ପରିବାରକୁ ମିଳିବ ୫୦ କେଜି ଲେଖାଏଁ ଚାଉଳ। ରାସନ କାର୍ଡ ନଥିବା ପରିବାରକୁ ଚାଉଳ ମିଳିବ ବୋଲି ନବୀନ ଘୋଷଣା କରିଛନ୍ତି।

୨ ମାସ ପାଇଁ ମାଗଣାରେ ପୁରୀରେ ସାନିଟାରୀ ନାପକିନ୍ ବଣ୍ଟନ କରାଯିବ।

ପୁରୀ ଜିଲ୍ଲାକୁ ବିଦ୍ୟୁତ ଯୋଗାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ପୁରୀକୁ ବିଦ୍ୟୁତ ଯୋଗାଉଥିବା ସମସ୍ତ ୩ଟି ଲାଇନ ନଷ୍ଟ ହୋଇଥିଲା। ଆଜି ଗୋଟିଏ ଲାଇନକୁ ସମ୍ପୂର୍ଣ୍ଣ ଠିକ୍ କରାଯାଇଛି। ପୁରୀ, ନିମାପଡ଼ା, କୋଣାର୍କ ସହରକୁ ଆଜି ରାତିରୁ ବିଜୁଳି ଯୋଗାଣ ହେବ। ବିଦ୍ୟୁତ ପୁନରୁଦ୍ଧାର ପାଇଁ ୧୦ ହଜାର ଲୋକ କାମ କରୁଛନ୍ତି।  ଯେତେ ଶୀଘ୍ର ସମ୍ଭବ ହେବ ସାରା ଜିଲ୍ଲାକୁ ବିଦ୍ୟୁତ ଯୋଗାଣ କରାଯିବ।’’

ବାତ୍ୟା ଫନିରେ ପୁରୀ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଦୁଃଖ ପ୍ରକାଶ କରିଥିଲେ।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment