ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ବିଜେପି ଏବଂ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ମାହୋଲକୁ ସରଗରମ କରିଥିବା ବେଳେ କିଛି ନେତା ମହାମେଣ୍ଟ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖିଆ ଚନ୍ଦ୍ରବାବୁ ନାଇଡୁ ଏନେଇ ଉଦ୍ୟମ ଆରମ୍ଭ କରିଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ଚନ୍ଦ୍ରବାବୁ ନୂଆଦିଲ୍ଲୀରେ କଂଗ୍ରେସ ନେତା ଅଭିଷେକ ମନୁ ସଂଘବୀଙ୍କୁ ଭେଟିବା ପରେ ଆମ୍ ଆଦମୀ ପାର୍ଟି ମୁଖିଆ ଅରବିନ୍ଦ କେଜରିଓ୍ୱାଲ ଏବଂ ସିପିଆଇଏମ୍‌ର ବରିଷ୍ଠ ନେତା ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି। ସାଂପ୍ରତିକ ରାଜନୀତି ଉପରେ ଆଲୋଚନା କରିଥିଲେ ନାଇଡୁ।

ଶନିବାର ଦିନ ଚନ୍ଦ୍ରବାବୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଜେଡିୟୁ ନେତା ଶରଦ ଯାଦବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଚଳିତ ନିର୍ବାଚନରେ କୌଣସି ପାର୍ଟିକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି କିଛି ନେତାମାନେ ଆଶା ରଖିଛନ୍ତି। ହେଲେ ଏପଟେ ବିଜେପି ଦାବି କରୁଛି ଯେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଁ ଆମେ ସରକାର ଗଢ଼ିବୁ ଏବଂ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମୋଦି ବିରୋଧୀ ନେତା।

ନିର୍ବାଚନ ପରେ ଅଣବିଜେପି ଦଳ ଏକାଠି ହେବାକୁ ଏକ ପ୍ରକାର ଯୋଜନା ଚାଲିଛି। ଚନ୍ଦ୍ରବାବୁ ନାଇଡୁ ଏଦିଗରେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

ମେ’ ୨୩ରେ ଅଣବିଜେପି ଦଳମାନଙ୍କର ବୈଠକ ଡାକିଛନ୍ତି ସୋନିଆ ଗାନ୍ଧି। ଟିଡିପି, ଟିଆରଏସ୍, ଓ୍ୱାଇଏସ୍‌ଆର୍ କଂଗ୍ରେସ ଏବଂ ବିଜେଡିକୁ ଏହି ବୈଠକକୁ ଡାକିଛନ୍ତି ସୋନିଆ। ତେବେ ସୋନିଆଙ୍କ ବୈଠକରେ କେଉଁ ଦଳ ଯୋଗ ଦେଉଛନ୍ତି ତା’ ଉପରେ ସମସ୍ତଙ୍କର ନଜର ରହିଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment