ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରାକୃତିକ ଦୁର୍ବିପାକ ପରେ ମାନସିକ ରୋଗ ହୁଏ କି? ଯଦି ହୁଏ ଚିକିତ୍ସାର ଆବଶ୍ୟକତା ଅଛି କି? ଏନେଇ ଓଡ଼ିଶାଲାଇଭକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ରସେଲ ରାବଣା।

ଦୀର୍ଘ ୨୦ ବର୍ଷ ପରେ ପୁଣି ଏକ ଭୟଙ୍କର ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥିଲେ ଓଡ଼ିଶାବାସୀ। ଫନିର ତାଣ୍ଡବରେ ଛାରଖାର ହୋଇଯାଇଛି ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲା। ଫନିର କରାଳ ରୂପ ଛଡ଼ାଇ ନେଇଥିଲା ଲୋକଙ୍କଠାରୁ ଆଶ୍ରୟ।

ବାତ୍ୟାର ସେହି ପବନ କେଉଁଠି ଛଡ଼ାଇ ନେଇଛି ଆପଣାର ଲୋକଙ୍କୁ ତ କିଏ ନିଜ ବେଉସା ହରାଇ ବସିଛି। ଏସବୁ ସମସ୍ୟାକୁ ନେଇ ଲୋକେ ଉଭୟ ଶରୀରିକ ଏବଂ ମାନସିକ ଚାପରେ ରହିଥାନ୍ତି। ତେବେ ପ୍ରାକୃତିକ ଦୁର୍ବିପାକ ପରେ କାହିଁକି ମାନସିକ ସମସ୍ୟା ଦେଖାଦେଇଥାଏ ସେ ସମ୍ପର୍କରେ ମାନସିକ ବିଶେଷଜ୍ଞ କ’ଣ କହୁଛନ୍ତି ଜାଣନ୍ତୁ।

ବାତ୍ୟା ପରେ ମାନସିକତା ଉପରେ ପଡ଼ିଥାଏ ପ୍ରଭାବ

ପ୍ରାକୃତିକ ଦୁର୍ବିପାକ ପରେ ଲୋକଙ୍କ ମାନସିକତା ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଯେଉଁମାନଙ୍କର ଆପଣାର ଲୋକ ପ୍ରାକୃତିକ ଦୁର୍ବିପାକରେ ପ୍ରାଣ ହରାଇଥାନ୍ତି, ସେହି ଲୋକମାନଙ୍କ ଭିତରେ ପୋଷ୍ଟ ଟ୍ରୋମାଟିକ୍ ଷ୍ଟ୍ରେସ୍ ଡିସଅର୍ଡର ଦେଖା ଦେଇଥାଏ। ପୋଷ୍ଟ ଟ୍ରୋମାଟିକ୍ ଷ୍ଟ୍ରେସ୍ ଡିସଅର୍ଡରରେ ଲୋକେ ନିଜ ଭାବନା ଅନ୍ୟ ପାଖରେ ପରିପ୍ରକାଶ କରି ପାରନ୍ତି ନାହିଁ।

ଫଳରେ ବ୍ୟକ୍ତି ଜଣକ ଠିକରେ ଶୋଇପାରେ ନାହିଁ। ପ୍ରାକୃତିକ ଦୁର୍ବିପାକ ବେଳେ ତା’ ସହ ଯେଉଁ ଦୁର୍ଘଟଣା ଘଟିଥାଏ ତାହା ସ୍ୱପ୍ନରେ ବାରମ୍ବାର ଆସେ। ଯଦି ହଠାତ୍ ପବନ ବହେ ସେହି ବ୍ୟକ୍ତିଙ୍କ ଭିତରେ ଦୁଃଖ ଦେଖାଦିଏ ଏବଂ ସେହି ଘଟଣା ମନକୁ ଆନ୍ଦୋଳିତ କରିଥାଏ। ସେ ବିଭିନ୍ନ ଦୁଃସ୍ୱପ୍ନ ଦେଖିଥାଏ।

ପିଲାମାନଙ୍କ ଉପରେ କ’ଣ ରୁହେ ପ୍ରଭାବ?

ବାତ୍ୟା ପରେ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ ବିଛିନ୍ନ ହେବା, ଖାଦ୍ୟାଭାବ ଦେଖାଦେବା, ତାପମାତ୍ରା ଜୋରରେ ବଢ଼ିଯିବା ଫଳରେ ପିଲାମାନେ ଚିଡ୍‌ଚିଡା ସ୍ୱଭାବର ହୋଇଯାନ୍ତି। ଖାଇବା ଏବଂ ଶୋଇବାରେ ତାଳମେଳ ରୁହେନି। ଖେଳିବା ସମୟରେ ବି ସେମାନେ ଚିଡ୍‌ଚିଡ୍ ହୋଇଯାଆନ୍ତି। ପିଲାମାନଙ୍କ ମନରେ ଗଭୀର ଚାପ ପଡ଼ିଥାଏ।

ମହିଳାମାନଙ୍କ ଉପରେ କ’ଣ ଥାଏ ପ୍ରଭାବ?

ମହିଳାମାନେ ସେମାନଙ୍କ ପରିବାର ସହ ଗଭୀର ଭାବରେ ଜଡ଼ିତ ଥାନ୍ତି। ବାତ୍ୟା ପରବର୍ତ୍ତୀ ସମୟରେ ବିଜୁଳି ଚାଲି ଯିବା, ଘରଦ୍ୱାର ନଷ୍ଟ ହୋଇଯିବା, ଖାଦ୍ୟାଭାବ ଦେଖାଦେବା ଏବଂ ପିଲାଙ୍କ ସ୍ୱାସ୍ଥ୍ୟ ଆଦି ସମସ୍ୟାକୁ ନେଇ ମହିଳାମାନେ ଚିନ୍ତିତ ଥାନ୍ତି। ମହିଳାମାନେ ଅଧିକ ବ୍ୟତିବ୍ୟସ୍ତ ହୋଇ ଯାନ୍ତି। ଅନ୍ୟ ପରିବାରରେ ଯଦି କିଛି ଅସୁବିଧା ହୋଇଥାଏ, ସେ ନିଜ ପରିବାରରେ ହେବ ବୋଲି ଆଶଙ୍କା କରିଥାନ୍ତି। ଯାହାଫଳରେ ମହିଳାମାନଙ୍କୁ ନିଦ ହୋଇ ନ ଥାଏ। ଏଥିରୁ ଅନ୍ୟାନ୍ୟ ରୋଗ ଦେଖାଦେବାର ଆଶଙ୍କା ରହିଥାଏ।

ବୟସ୍କ ଲୋକଙ୍କ ଉପରେ ପ୍ରଭାବ?

ବୟସ୍କ ଲୋକମାନଙ୍କ ଉପରେ ମଧ୍ୟ ମାନସିକ ପ୍ରଭାବ ପଡ଼ିଥାଏ। ଏଭଳି ସମସ୍ୟା ଦେଖା ଦେଲେ ସେମାନେ ଭାବନ୍ତି ମୁଁ ବେଶୀ ଦିନ ବଞ୍ଚିବି ନା ନାହିଁ, ଭଲରେ ବଞ୍ଚିବି ନା ନାହିଁ। ଜୀବନ ଉପରେ ତାଙ୍କର ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଯେତେବେଳେ କୌଣସି ପ୍ରାକୃତିକ ଦୁର୍ବିପାକ ହୁଏ ବା ସମାଜରେ କିଛି କ୍ଷତି ହୁଏ, ସେତେବେଳେ ବୟସ୍କ ଲୋକମାନେ ବହୁ ଭାବରେ ଭୟଭୀତ ହୋଇ ପଡ଼ିଥାନ୍ତି ଏବଂ ସେମାନଙ୍କର ମାନସିକ ଶାନ୍ତିରେ ବାଧା ସୃଷ୍ଟି ହୋଇଥାଏ।

ଏହାର ପ୍ରତିଷେଧକ ଓ ଚିକିତ୍ସା

ଏଭଳି ମାନସିକ ସମସ୍ୟା ଦେଖାଦେଲେ ସେମାନେ ନିଜ ଅନୁଭୂତି, ଦୁଃଖ, ଅସହାୟତା ଏବଂ ନିଜ ଭାବନା ପରିପ୍ରକାଶ କରିବା ଆବଶ୍ୟକ ହୋଇଥାଏ। ଏନେଇ ପରିବାର ଲୋକଙ୍କ ସହ ଆଲୋଚନା କରିବେ।

ନିଜ ଦେହକୁ ଶାନ୍ତ ରଖିବେ। (ଗଭୀର ନିଃଶ୍ୱାସ ନେଲେ, ଶାନ୍ତିପୂର୍ଣ୍ଣ ଦୃଶ୍ୟ ଭାବିଲେ କିମ୍ବା ଦେହକୁ ଶାନ୍ତ ହେବା ପାଇଁ ଆଦେଶସୂଚକ ଶବ୍ଦ, ଯଥା -‘ରିଲାକ୍‌ସ’, ‘ବ୍ୟସ୍ତ ହୁଅନି’, କହି ଦେହର ଆଲୋଡ଼ନକୁ ବନ୍ଦ କରିବା ଉପାୟ ଅଭ୍ୟାସ କଲେ ଦେହକୁ ଶାନ୍ତ କରିହେବ)। ଯଦି ଏହି ସମସ୍ୟା ଅଧିକ ଗୁରୁତର ହୋଇଥାଏ, ତେବେ ବିଶେଷଜ୍ଞଙ୍କୁ ଜଣାନ୍ତୁ। ସେହି ଅନୁସାରେ ଥେରାପି, ଔଷଧ ଓ ମାନସିକ କାଉନସିଲିଂ କରାଯାଇଥାଏ। ଯଦି ଅଳ୍ପ ମାତ୍ରାରେ ହୋଇ ଥାଏ ଗୋଷ୍ଠୀ ବା ଗ୍ରୁପ୍ ଥେରାପି କରାଯାଇଥାଏ।

୧୯୯୯ ମହାବାତ୍ୟା ପରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିଛି

୯୯ ବାତ୍ୟା ପରେ ମାନସିକ ରୋଗୀଙ୍କ ସଂଖ୍ୟା ନେଇ ସର୍ଭେ କରାଯାଇଥିଲା। ଜଗତସିଂହପୁରର ଏରସମା ଅଞ୍ଚଳରେ ସର୍ଭେ କରାଯାଇଥିଲା। ଯେଉଁମାନେ ୯୯ ବାତ୍ୟାରେ ବର୍ତ୍ତି ଯାଇଥିଲେ ସେମାନଙ୍କ ପାଖରେ ପିଟିଏସଡି, ଡିପ୍ରେସନ୍ ଓ ଅବସାଦ ଦେଖାଦେଇଥିଲା।

https://rzp.io/l/cyclonefani – ଏହି ଲିଙ୍କରେ କ୍ଲିକ୍ କରି ଆପଣ ସିଧାସଳଖ ଭାବେ ଇଚ୍ଛା ମୁତାବକ ଦାନ କରିପାରିବେ ଏବଂ ଓଡ଼ିଶାଲାଇଭର ଏହି ପବ୍ଲିକ ଇଂଟ୍ରେଷ୍ଟ ଜର୍ନାଲିଜିମ ଇନିସିଏଟିଭ ସହ ଯୋଡ଼ିହୋଇ ପାରିବେ।

Comment