ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୨ରେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ଓରଫ୍ ସୁନୀଲଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ବ୍ରହ୍ମପୁରର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଆଇପିସିର ଧାରା ୧୨୧ ଅନୁସାରେ ସବ୍ୟସାଚୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଏହାସହ ଆଇପିସିର ଧାରା ୩୫୩ ଓ ଆର୍ମସ୍ ଆକ୍ଟର ଧାରା ୨୫ ଓ ୨୭ ଅନୁସାରେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହିସବୁ ଦଫାରେ ସବ୍ୟସାଚୀଙ୍କୁ ୯ ବର୍ଷ ଜେଲ୍ ଓ ୨୫ ହଜାର ଟଙ୍କା ଜରିମାନା ହୋଇଛି।

ସବ୍ୟସାଚୀଙ୍କୁ ୨୦୧୪ ଜୁଲାଇ ୧୭ରେ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ। ବଡ଼ବଜାର ଥାନା ପେଟା ସାହିରେ ପୋଲିସ ଚଢ଼ାଉ କରି ଗିରଫ କରିଥିଲା ପୋଲିସ। ଗିରଫ ବେଳେ ସବ୍ୟସାଚୀଙ୍କଠାରୁ ନଗଦ ୨ ଲକ୍ଷ ୧୧ ହଜାର ଟଙ୍କା, ୫୦୦ ଗ୍ରାମ ସୁନା, ୧୦ଟି ମୋବାଇଲ ଫୋନ, ଲ୍ୟାପଟପ୍, ୫ଟି ପେନଡ୍ରାଇଭ୍, ଗୋଟିଏ ବନ୍ଧୁକ ସହ ଗୁଳି ଜବତ କରାଯାଇଥିଲା।

ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ତଦନ୍ତକରୀ ଅଧିକାରୀ ହାଲୁକା ଭାବେ ଗ୍ରହଣ କରି ଠିକ୍ ଭାବେ ତଦନ୍ତ କରାଯାଇ ନଥିବା ଦର୍ଶାଇ କୋର୍ଟ ଭର୍ତ୍ସନା କରିଛନ୍ତି। ଏସମ୍ପର୍କରେ କୋର୍ଟ ପୋଲିସ ଡିଜି ଏବଂ ପ୍ରହ୍ମପୁର ଏସ୍‌ପିଙ୍କୁ ଅବଗତ କରିଛନ୍ତି। ଅନ୍ୟପଟେ ଏହି ରାୟ ବିରୋଧରେ ଉପରକୋର୍ଟକୁ ଯିବେ ବୋଲି କହିଛନ୍ତି ସବ୍ୟସାଚୀ।

ସବ୍ୟସାଚୀଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ ୧୩୫ଟି ମାମଲା ରହିଥିଲା। ପୂର୍ବରୁ ସେ ୫୨ଟି ମାମଲାରେ ଖଲାସ ହୋଇଥିଲେ।

Comment