ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଃ କି ଖରା। ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଓ ତାତିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେଲେଣି। ମେ’ ମାସ ସରିବାକୁ ବସିଲାଣି, ହେଲେ ତାତି କମିବାର ନାଁ ଧରୁନି। ବୁଧବାର ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି।

ସାରା ରାଜ୍ୟରେ ଉତ୍ତପ୍ତ ସହର ଭାବେ ତାଳଚେରରେ ସର୍ବାଧିକ ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ବଲାଙ୍ଗିରରେ ୪୪ ଡିଗ୍ରୀ, ସମ୍ବଲପୁର ୪୩.୯ ଡିଗ୍ରୀ, ଝାରସୁଗୁଡ଼ା ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ୪୩.୬ ଡିଗ୍ରୀ ତାପମାତ୍ରାରେ ଟିଟିଲାଗଡ଼ ବର୍ତ୍ତମାନ ତତଲାଗଡ଼ରେ ପରିଣତ ହେଲାଣି। ସେହିପରି ସୋନପୁର ୪୩.୨, ହୀରାକୁଦରେ ୪୨.୩, ଅନୁଗୁଳ ୪୧.୯, ଭବାନୀପାଟଣା ୪୧.୫, ଫୁଲବାଣୀ ୪୧.୨, ଚାନ୍ଦବାଲିରେ ୪୧.୧, ସୁନ୍ଦରଗଡ଼ ଓ ମାଲକାନଗିରି ୪୧ ଡିଗ୍ରୀ ଉପରେ ପାରଦ ରହିଛି।

ବୁଧବାର ଟୁଇନ୍‌ ସିଟିରେ ମଧ୍ୟ ଭୀଷଣ ତାତି ଅନୁଭୂତ ହୋଇଛି। ଭୁବନେଶ୍ୱରରେ ୩୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇତିବା ବେଳେ କଟକରେ ତାପମାତ୍ରା ୩୭.୬ ଡିଗ୍ରୀ ରହିଛି। ଆହୁରି କିଛି ଦିନ ଯାଏଁ ରାଜ୍ୟରେ ଏହି ଭଳି ଗୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ କାଳବୈଶାଖୀ ଯୋଗୁଁ ଅପରାହ୍‌ଣରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।

Comment