ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ କ୍ରିକେଟ ବିଶ୍ୱକପ୍‌କୁ ଆଉ ମାତ୍ର ୬ ଦିନ ରହିଲା। ଚଳିତ ବିଶ୍ୱକପ ଲଣ୍ଡନ ଏବଂ ୱେଲ୍ସରେ ହେବାକୁ ଯାଉଥଇବା ବେଳେ ସମସ୍ତ ଟିମ୍‌ ଲଣ୍ଡନରେ ପହଞ୍ଚିସାରିଛନ୍ତି। ଭାରତ ସମେତ ବିଶ୍ୱକପ୍‌ରେ ଭାଗ ନେଉଥିବା ୧୦ଟି ଦେଶ ଲଣ୍ଡନରେ ପହଞ୍ଚି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଚଳଚଞ୍ଚଳ ହୋଇପଡ଼ିଛି ଲଣ୍ଡନ। ବିଶ୍ୱକପ୍‌ ମହାକୁମ୍ଭରେ ସାମିଲ ହେବା ପାଇଁ ବୁଧବାର ଭାରତୀୟ କ୍ରିକେଟ ଟିମ୍‌ ଲଣ୍ଡନରେ ପହଞ୍ଚିସାରିଛି। ଏଥିସହିତ ମହାଲଢ଼େଇ ପାଇଁ ଅଭ୍ୟାସ ଆରମ୍ଭ କରିଛି। ଟିମ୍‌ ଇଣ୍ଡିଆର ଅଭ୍ୟାସ ସେସନକୁ ଟୁଇଟ୍‌ର ପେଜ୍‌ରେ ସ୍ଥାନିତ କରିଛି ବିସିସିଆଇ। ଯାହା ବିଶ୍ୱକପ୍‌କୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆହୁରି ଉତ୍ସାହ ବଢ଼ାଇଦେଇଛି।

ଅନ୍ୟପଟେ ବିଶ୍ୱକପ୍‌ ପୂର୍ବରୁ ଆସନ୍ତାକାଲିଠୁ ଆରମ୍ଭ ହୋଇଯାଇଛି ଅନ୍‌ ଅଫିସିଆଲ ୱାର୍ମଅପ୍ ମ୍ୟାଚ୍‌। ଗତକାଲି ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ୱାର୍ମଅପ୍ ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ରେ କଙ୍ଗାରୁ ଟିମ୍‌ ୱେଷ୍ଟଇଣ୍ଡିଜ୍‌କୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ୨୨୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ଟିମ୍‌ ମାତ୍ର ୩ ୱିକେଟ୍‌ ହରାଇ ଏହି ବିଜୟ ହାସଲ କରିଛି।

ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳ ଦୁଇଟି ୱାର୍ମଅପ୍ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶକୁ ଭେଟିବ। ଆସନ୍ତା ୨୫ ଓ ୨୮ ତାରଖରେ ଭାରତ ଯଥାକ୍ରମେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶକୁ ୱାର୍ମଅପ୍ ମ୍ୟାଚ୍‌ ଖେଳିବ। ଆସନ୍ତା ୩୦ ତାରିଖରେ ୨୦୧୯ କ୍ରିକେଟ ବିଶ୍ୱକପ ଆରମ୍ଭ ହେବ। ଜୁନ୍ ୫ରେ ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

ବିଶ୍ୱକପ୍ ପାଇଁ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧୱନ୍, କେ ଏଲ୍‌ ରାହୁଲ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ଶାମି।

Comment