ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ମନ୍ତ୍ରୀ ହେଲେ ଓଡ଼ିଶାର ସନ୍ନ୍ୟାସୀ ପ୍ରତାପ ଷଡ଼ଙ୍ଗୀ।

ଦିନେ ତାଙ୍କ ମନ ଚାହୁଁଥିଲା ସନ୍ନ୍ୟାସୀ ହେବା ପାଇଁ। ଏଥିପାଇଁ ସେ କୋଲକାତାର ରାମକୃଷ୍ଣ ମଠକୁ ବାରମ୍ବାର ଯାଇଛନ୍ତି। ହେଲେ ତାଙ୍କ ମା’ଙ୍କ ସେବା ପାଇଁ ସେ ମଠରେ ସନ୍ନାସୀ ହୋଇପାରି ନଥିଲେ। ଶେଷରେ ସେ ସମାଜସେବାକୁ ଆପଣାଇ ନେଇଥିଲେ। ସମାଜସେବା ସହ ଭୋଟ ରାଜନୀତିରେ ପ୍ରବେଶ କରି ଦୁଇ ଥର ବିଧାୟକ ଏବଂ ଏବେ ସାଂସଦ ଭାବେ ନିର୍ବାଚିତ ହୋଇ ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି।

ଆମେ ଏଠାରେ ଯାହାଙ୍କ କଥା କହୁଛୁ ସେ କୌଣସି ଜପ ତପ କରୁଥିବା ସନ୍ନ୍ୟାସୀ ନୁହନ୍ତି। ନିଜ ଜୀବନକୁ ସମାଜସେବାରେ ଉତ୍ସର୍ଗ କରିଥିବା ଏବଂ ସରଳ ଜୀବନ ଯାପନ କରୁଥିବା ପ୍ରତାପ ଷଡ଼ଙ୍ଗୀଙ୍କ କଥା କହୁଛୁ।

ନୀଳଗିରିରରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରତାପ ଏଥର ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇ ମୋଦି ସରକାରରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି।

ଓଡ଼ିଶାରୁ ଏଥର ୮ ଜଣ ବିଜେପି ସାଂସଦ ଲୋକସଭା ଯାଇଛନ୍ତି। ସେମାନଙ୍କ ଭିତରୁ ପ୍ରତାପ ମନ୍ତ୍ରୀ ହୋଇଥିବା ବେଳେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଆସିଥିବା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ମନ୍ତ୍ରୀ ହୋଇଛନ୍ତି।

‘‘ମତେ କେନ୍ଦ୍ର ମନ୍ତ୍ରୀ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଉଛି। ଓଡ଼ିଶାରୁ ଦୁଇ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି। ଓଡ଼ିଶା ତଥା ଭାରତବାସୀଙ୍କ ପାଇଁ ଅନେକ କିଛି କରିବାର ଯୋଜନା ରହିଛି। ତେବେ ମତେ କେଉଁ ବିଭାଗର ଦାୟିତ୍ୱ ମିଳୁଛି ତାକୁ ମୁଁ ଅପେକ୍ଷା କରିଛି’’, କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ନୀଳଗିରିରୁ ନୂଆଦିଲ୍ଲୀ

୧୯୫୫ ମସିହା ଜାନୁଆରି  ୪ ତାରିଖରେ ନୀଳଗିରିର ଗୋପିନାଥପୁର ଗାଁରେ ଗରିବ ପରିବାରରେ ଜନ୍ମ ହୋଇଥିଲେ ପ୍ରତାପ ଷଡ଼ଙ୍ଗୀ। ବାଲେଶ୍ୱର ଫକିରମୋହନ କଲେଜରୁ ସ୍ନାତକ ହାସଲ କରିଥିବା ଷଡ଼ଙ୍ଗୀ ପିଲାଟି ଦିନରୁ ଆଧ୍ୟାତ୍ମିକ ପରିବେଶ ଭିତରେ ବଢ଼ିଥିଲେ। ରାମକୃଷ୍ଣ ପରମହଂସଙ୍କୁ ସେ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିଲେ।

ଏଣୁ କଲେଜ ପାଠ ଶେଷ ହେବା ପରେ ସେ କୋଲକାତାସ୍ଥିତ ରାମକୃଷ୍ଣ ମଠରେ ବାବା ହୋଇ ରହିବାକୁ ଚାହୁଁଥିଲେ। କଲେଜ ପଢ଼ା ଭିତରେ ସେ ବାରମ୍ବାର ରାମକୃଷ୍ଣ ମଠକୁ ମଧ୍ୟ ଯାଇଥିଲେ। କିନ୍ତୁ ମଠର କର୍ମକର୍ତ୍ତାମାନେ ଜାଣିପାରିଲେ ଯେ ତାଙ୍କ ମା’ ବିଧବା। ଏଣୁ ତାଙ୍କୁ ମା’ଙ୍କ ସେବା କରିବା ପାଇଁ ମଠର କର୍ମକର୍ତ୍ତମାନେ ପରାମର୍ଶ ଦେଇଥିଲେ। ମା’ଙ୍କ ସେବା କରିବା ପାଇଁ ପ୍ରତାପ ଶେଷରେ ନିଜ ଗାଁ ଗୋପିନାଥପୁରକୁ ଚାଲି ଆସିଥିଲେ।

ସମାଜସେବାକୁ ଆପଣାଇଲେ

ଗାଁକୁ ଫେରି ଆସିବା ପରେ ପ୍ରତାପ ଷଡ଼ଙ୍ଗୀ ନିଜ ମା’ଙ୍କ ସେବା ଏବଂ ସମାଜସେବାକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ। ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେ ଗରିବ ପିଲାମାନଙ୍କ ପାଇଁ ସ୍କୁଲ ନିର୍ମାଣ କରିଥିଲେ।

ନିରାଡ଼ମ୍ବର ଜୀବନ

ଗରିବ ପରିବାରରେ ଜନ୍ମ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ସବୁବେଳେ ନିରାଡ଼ମ୍ବର ଜୀବନ ଅତିବାହିତ କରିଥାନ୍ତି। ଭାରତୀୟ ଜନତା ପାର୍ଟିର ଆଗଧାଡ଼ିର ନେତା  ଏବଂ ନୀଳଗିରି ବିଧାନସଭା ଆସନରୁ ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ସେ ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣି ନାହାନ୍ତି। ସେ ଏବେ ବି ସନ୍ନାସୀ ଭଳି ଜୀବନ ବିତାଉଛନ୍ତି।

ଚାଳ ଛପର ଘରେ ରହୁଥିବା ପ୍ରତାପ ବାହା ହୋଇ ନାହାନ୍ତି। ସେ ନିଜ ମା’ଙ୍କ ସେବାକୁ ବ୍ରତ ଭାବେ ଗ୍ରହଣ କରି ନେଇଥିଲେ। ଅନ୍ୟ ନେତାମାନେ ଦାମୀ ଗାଡ଼ି ବ୍ୟବହାର କରୁଥିବା ବେଳେ ପ୍ରତାପ ଷଡ଼ଙ୍ଗୀ ସାଇକେଲ ଉପରେ ଭରସା କରୁଛନ୍ତି। ତାଙ୍କ ବେଶଭୂଷା ବି ଆଡ଼ମ୍ବରପୂର୍ଣ୍ଣ ନୁହେଁ। ସେ ସାଧାରଣ ଲୋକଙ୍କ ଭଳି ପୋଷାକ ପରିଧାନ କରିଥାନ୍ତି। ପ୍ରତାପଙ୍କର ଏହି ନିଆରା ଜୀବନଶୈଳୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଦୁଇ ଦୁଇ ଥର ବିଧାୟକ

ବାଲେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ସମାଜସେବାକୁ ପ୍ରାଧାନ୍ୟ ଦେଇ ଆସୁଥିବା ପ୍ରତାପ ଷଡ଼ଙ୍ଗୀ ବିଜେପି ଆଡ଼କୁ ଢଳିଥିଲେ। ୨୦୦୪ରେ ପ୍ରତାପ ବିଜେପି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୯ରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଥିଲା। ହେଲେ ପ୍ରତାପଙ୍କୁ ବିଜେପି ଟିକେଟ ମିଳି ନଥିଲା। ପ୍ରତାପ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ନୀଳଗିରିରେ ପୁଣି ବିଜୟ ବାନା ଉଡ଼ାଇ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ।

୨୦୧୪ରେ ଲୋକସଭା ଟିକେଟ

ନୀଳଗିରି ବିଧାନସଭା ଆସନରୁ ଦୁଇ ଥର ନିର୍ବାଚନ ଜିତି ଲୋକପ୍ରିୟତାର ପ୍ରମାଣ ଦେଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ୨୦୧୪ରେ ବାଲେଶ୍ୱର ଲୋକସଭା ଆସନରୁ ଟିକେଟ ଦେଇଥିଲା ବିଜେପି। ହେଲେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କଠାରୁ ପ୍ରତାପ ପରାଜିତ ହୋଇଥିଲେ। ପରେ ପ୍ରତାପଙ୍କୁ ଦଳର ଉପ-ସଭାପତି କରାଯାଇଥିଲା।

୨୦୧୯ରେ ବିଜୟ ମୁକୁଟ

୨୦୧୯ ନିର୍ବାଚନରେ ପ୍ରତାପଙ୍କୁ ପୁଣି ବାଲେଶ୍ୱର ଲୋକସଭା ଆସନ ପାଇଁ ଟିକେଟ ଦେଇଥିଲା। ଏଥର ପ୍ରତାପ ଦୁଇ କୋଟିପତି ପ୍ରାର୍ଥୀ ବିଜେଡିର ରବୀନ୍ଦ୍ର ଜେନା ଏବଂ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ଟକ୍କର ଦେଇଥିଲେ। ଶେଷରେ ପ୍ରତାପ ହିଁ ବାଜି ମାରି ନେଇଥିଲେ।

ପ୍ରତାପଙ୍କ ପାଇଁ ଏଥର ନିଜେ ନରେନ୍ଦ୍ର ମୋଦି ବାଲେଶ୍ୱରରେ ପ୍ରଚାର କରିଥିଲେ। ପ୍ରତାପ ହିଁ ବିଜୟୀ ହୋଇଥିଲେ।

ସଭାପତି ହଉ ହଉ ରହିଗଲେ

ରୋକ୍‌ଠୋକ୍ କଥା ଏବଂ ସରଳ ଜୀବନଶୈଳୀକୁ ନେଇ ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ନିଜ ଦଳ ଉଚିତ ସମ୍ମାନ ଦେଇ ନଥିବା ଅଭିଯୋଗ ହୁଏ। ୨୦୧୯ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ରାଜ୍ୟ ବିଜେପି ସଭାପତି ରେସ୍‌ରେ ତାଙ୍କ ନାଁ ରହିଥିଲା। ଏନେଇ ଦିଲ୍ଲୀ ଦରବାରରେ ପ୍ରତାପଙ୍କ ନାଁ ଚର୍ଚ୍ଚା ହୋଇଥିଲା। ଜାତୀୟ ସ୍ତରର କିଛି ବିଜେପି ନେତା ମଧ୍ୟ ପ୍ରତାପଙ୍କୁ ସଭାପତି କରିବା ମୁଡ୍‌ରେ ରହିଥିଲେ। ହେଲେ ରାଜନୀତିର ଦାଓପେଞ୍ଚ ଭିତରେ ପ୍ରତାପ ସଭାପତି ହୋଇପାରି ନଥିଲେ। ଶେଷରେ ତାଙ୍କୁ ଦଳର ଉପ-ସଭାପତି କରାଯାଇଥିଲା। ଦଳର ଉପ-ସଭାପତି ରହିଥିବା ପ୍ରତାପ ଭୋଟ ରାଜନୀତିର ଉତ୍ଥାନ ପତନ ଦେଇ ଗତି କରିଥିଲେ। ବାଲେଶ୍ୱର ଲୋକସଭା ଆସନରୁ ଜିତି ଏବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଛନ୍ତି ସେ।

ପ୍ରତାପଙ୍କୁ ନେଇ ସବୁଠି ଚର୍ଚ୍ଚା

ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହେବା ପରେ ତାଙ୍କ ନିଆରା ଜୀବନ ଶୈଳୀକୁ ନେଇ ଜାତୀୟ ଏବଂ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି। କିଛି ଗଣମାଧ୍ୟମ ତାଙ୍କୁ ‘ଓଡ଼ିଶାର ମୋଦି’ ଏବଂ ରାଜନୀତିର ‘ସନ୍ଥ’ କହିବାକୁ ପଛାଇ ନାହାନ୍ତି। ପ୍ରତାପଙ୍କ ଚାଳ ଛପର ଘର, ନଳକୂଅରେ ଗାଧୁଆ, ସମାଜସେବା ଏବଂ ନିର୍ବାଚନ ବେଳେ ଅଟୋରେ ଛିଡ଼ା ହୋଇ ପ୍ରଚାର କରିବାର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ଫଟୋକୁ ମଧ୍ୟ କିଛି ଜାତୀୟ ସ୍ତରର ବିଜେପି ନେତା ମଧ୍ୟ ଟୁଇଟ୍ କରି ପ୍ରତାପଙ୍କୁ ପ୍ରଶଂସା କରିଛନ୍ତି।

Comment