ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଡ୍ରିଫ୍‌’ର ସୋଫିଆ ଗାର୍ଡେନ୍‌ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ସହଜ ବିଜୟ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୧୩୬ ରନ୍‌ରେ ଅଲ୍‌ଆଉଟ କରିଥିଲା। ତେବେ ବିନା କୌଣସି ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ଟିମ୍‌ ଲଙ୍କା ଦଳକୁ ପରାସ୍ତ କରିଛି।

ଆରମ୍ଭରୁ ଶ୍ରୀଲଙ୍କା ଟିମ୍‌ର ବ୍ୟାଟିଂରେ ବିପର୍ଯ୍ୟୟ ଘଟିଛି। ବ୍ୟାଟ୍ସମ୍ୟାନ୍‌ କରୁଣାରତ୍ନେ ଶ୍ରୀଲଙ୍କା ଟିମ୍‌ର ମଙ୍ଗ ଧରିଥିବା ବେଳେ ଅନ୍ୟପାଟ ଖେଳାଳୀ ପଡ଼ିଆ ଦର୍ଶନ କରି ପାଭିଲିୟନ ଫେରୁଥିଲେ। ଲଙ୍କା ଦଳ ପକ୍ଷରୁ କରୁଣାରତ୍ନେ ସର୍ବାଧିକ ୫୨ ରନ୍‌ ସଂଗ୍ରହ କରିଥିଲେ। ପଡ଼ିଆରେ ଶ୍ରୀଲଙ୍କା ମାତ୍ର ୨୯.୨ ଓଭର ତିଷ୍ଠି ରହି ୧୩୬ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା।

ଅନ୍ୟପଟେ ନ୍ୟୁଜିଲାଣ୍ଡ ଟିମ୍‌ ପକ୍ଷରୁ ଜବରଦସ୍ତ ବୋଲିଂ ପ୍ରଦର୍ଶନ ହୋଇଛି। ଦଳର ବୋଲର ମ୍ୟାଟ୍ ହେନରୀ ସର୍ବାଧିକ ଓ ଲକି ଫର୍ଗୁସନ୍ ୩ ଟି ଲେଖାଏଁ ୱିକେଟ୍ ସଂଗ୍ରହ କରି ଲଙ୍କା ଦଳକୁ ଅଲ୍‌ଆଉଟ୍‌ କରିଥିଲେ।

ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ଟିମ୍‌ ପକ୍ଷରୁ ଓପନିଂ କରିଥିଲେ ମାର୍ଟିନ ଗୁପ୍ଟିଲ, କୋଲିନ୍‌ ମୁନ୍‌ରୋ। ତେବେ ଉଭୟଙ୍କ ଧୁଆଁଧାର ବ୍ୟାଟିଂ ବଳରେ କୁୱି ଟିମ୍‌ ବିନା କୌଣସି ୱିକେଟ୍ ହରାଇ ଲଙ୍କା ଦଳକୁ ପରାସ୍ତ କରିଛି। ମାର୍ଟିନ ଗୁପ୍ଟିଲ ସର୍ବାଧିକ ୭୩ ରନ୍‌ (୮ ଚୌକା, ୨ ଛକା) ଏବଂ କୋଲିନ୍‌ ମୁନ୍‌ରୋଙ୍କ ୫୮ (୬ଚୌକା, ୧ ଛକା) ରନ୍‌ ନ୍ୟୁଜିଲାଣ୍ଡକୁ ଚଳିତ ବିଶ୍ୱକପ୍‌ର ପ୍ରଥମ ବିଜୟ ସ୍ୱାଦ ଚଖାଇଛନ୍ତି।

Comment