ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱକପ୍‌ର ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ।

ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଚମକିଲା ଟିମ୍ ଇଣ୍ଡିଆ। ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି। ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇ ବିଶ୍ୱକପ୍‌ରେ ବିଜୟ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ୪୭.୩ ଓଭରରେ ୪ ୱିକେଟ ହରାଇ ୨୩୦ ରନ୍ କରି ଏହି ବିଜୟ ହାସଲ କରିଛି ବିରାଟ ବାହିନୀ।

ୟୁଜବେନ୍ଦ୍ର ଚହଲଙ୍କ ଦମଦାର ବୋଲିଂ ଏବଂ ହିଟ୍ ମ୍ୟାନଙ୍କ ଧମାକାଦାର ଶତକ ବଳରେ ଟିମ୍ ଇଣ୍ଡିଆ ଏହି ବିଜୟ ହାସଲ କରିଛି। ଚହଲ ୪ଟି ୱିକେଟ ନେଇଥିବା ବେଳେ ରୋହିତ ଶର୍ମା ୧୨୨ ରନ୍ କରିଥିଲେ। ୧୧୪ ବଲରେ ୧୩ ଚୌକା ଏବଂ ୨ ଛକା ବଲରେ ରୋହିତ ଦିନିକିଆ କ୍ରିକେଟର ୨୩ତମ ଶତକ କ୍ଲବରେ ସାମିଲ ହୋଇଛନ୍ତି।

ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଇଂଲଣ୍ଡରେ ଆଜି ଦକ୍ଷିଣ ଆଫ୍ରିକା ଟିମ୍‌କୁ ଭେଟିଥିଲା ଟିମ୍ ଇଣ୍ଡିଆ। ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା। ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୨୭ ରନ୍ ସଂଗ୍ରହ କରିଥିଲା ଦକ୍ଷିଣ ଆଫ୍ରିକା। ଏହାର ଜବାବରେ ୨୨୮ ରନର ପିଛା କରି ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ଖେଳାଳି।

ମ୍ୟାଚ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ବଲକୁ ସାମ୍ନା କରିପାରି ନଥିଲେ। ଜଣକ ପରେ ଜଣେ ଖେଳାଳି ଆଉଟ୍ ହୋଇ ପାଭିଲିଅନ ଚାଲି ଯାଇଥିଲେ। ହେଲେ ଶେଷରେ କ୍ରିସ୍ ମାରିସ୍ ୪୨ ରନ୍ କରି ସ୍କୋରକୁ ୨୨୭ରେ ପହଞ୍ଚାଇଥିଲେ।

ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲ ୪, ଜସପ୍ରୀତ ବୁମରାହ ୨ ଏବଂ ଭୁବନେଶ୍ୱର କୁମାର ୨ଟି ୱିକେଟ ନେଇଥିଲେ। କୁଲଦୀପ ଯାଦବ ୧ଟି ୱିକେଟ ନେଇଥିଲେ।

୨୨୮ ରନର ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ଆରମ୍ଭରୁ ଝଟ୍‌କା ଲାଗିଥିଲା। ଓପନର୍ ଶିଖର ଧାବନ ୬ ଓଭରରେ ମାତ୍ର ୮ ରନ୍ କରି ପାଭିଲିଅନ ଫେରି ଯାଇଥିଲେ। ରୋହିତ ଶର୍ମା ପିଚ୍‌ରେ ଭାରତୀୟ ଦଳର ମଙ୍ଗ ସମ୍ଭାଳିଥିଲେ। ଧାବନଙ୍କ ପରେ ଆସିଥିଲେ ବିରାଟ କୋହଲି। କିନ୍ତୁ ବେଶୀ ସମୟ ରହି ପାରି ନଥିଲେ ବିରାଟ। ୧୬ ଓଭର ବେଳକୁ କୋହଲି ୧୮ ରନ୍ କରି ଆଉଟ ହୋଇଥିଲେ।

କୋହଲିଙ୍କ ପରେ ଆସିଥିଲେ କେ ଏଲ୍ ରାହୁଲ। ହେଲେ ସେ ବି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଆଗରେ ହାର ମାନିଥିଲେ। ମାତ୍ର ୨୬ ରନ କରି ଆଉଟ୍ ହୋଇଥିଲେ। ମହେନ୍ଦ୍ର ସିଂ ଧୋନି ଏବଂ ରୋହିତ ଶର୍ମା ଯୋଡ଼ି ଜବରଦସ୍ତ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ।

Comment