ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ପୌରହିତ୍ୟରେ ଏନଡିଏ ସରକାରର ଶପଥ ଗ୍ରହଣ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟ ଆରମ୍ଭ ପରେ ଏବେ ବିଜେପିର ରାଜ୍ୟ ସଂଗଠନଗୁଡ଼ିକର ପାଳି। ଦୀର୍ଘ ଦିନ ଧରି ରାଜ୍ୟ ଶାଖାଗୁଡିକରେ ସଂଗଠନ ଅସଜଡ଼ା ଅବସ୍ଥାରେ ରହିଛି। ବିଶେଷକରି ଓଡ଼ିଶାରେ ବିଜେପି ନିଜ ଘର ସଜାଡ଼ିବା ନିହାତି ଜରୁରୀ ହୋଇପଡ଼ିଛି।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଅମିତ ଶାହଙ୍କ ସ୍ଥାନରେ ଜେପି ନଡ୍ଡା ନିଯୁକ୍ତ ହେବା ପ୍ରାୟ ସ୍ପଷ୍ଟ ହୋଇଥିବା ବେଳେ ରାଜ୍ୟ ସଭାପତି କିଏ ହେବ ସେ ନେଇ ଏବେ ଅଙ୍କ କଷା ଚାଲିଛି। ତିନି ଥର ରାଜ୍ୟ ସଭାପତି ରହି ସାରିଥିବା ଏବଂ ଲୋକସଭା ନିର୍ବାଚନ ଜିତିଥିବା ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଜାନୁଆରୀ ମାସରେ ଶେଷ ହୋଇଥିଲା। ସାଧାରଣ ନିର୍ବାଚନ ଆଗକୁ ଥିବାରୁ ଦଳୀୟ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏବେ ଅପେକ୍ଷା କରାଯାଇଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି କେବେ ରାଜ୍ୟ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରୁଛି।

ବିଜେପିର ଏକ ଅଲିଖିତ ପରମ୍ପରା ହେଉଛି ରାଜ୍ୟ ସଭାପତି ନିର୍ବାଚନ କେବଳ ନାମକୁ ମାତ୍ର। କାରଣ, କେନ୍ଦ୍ରୀୟ ସଂସଦୀୟ ବୋର୍ଡ଼ ଯାହାକୁ ହଁ କୁହେ ସେ ହିଁ ସଭାପତି ହୋଇଥାନ୍ତି। ଓଡ଼ିଶା ବିଜେପିର ସଭାପତି ପଦ ପାଇଁ ନିର୍ଦିଷ୍ଟ ଭାବେ କେହି ଆଖିରେ ପଡ଼ୁନଥିଲେ ହେଁ ଅନେକଙ୍କ ନାମ ଏହିକ୍ଷଣି ଚର୍ଚ୍ଚାରେ ରହିଛି। ତେବେ ତିନି ଜଣ ନେତା ସଭାପତି ପଦ ଦୌଡ଼ରେ ଆଗୁଆ ଅଛନ୍ତି। ସେମାନେ ହେଲେ ଉପସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ଓ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ଭୃଗୁ ବକ୍ସିପାତ୍ର।

ଏମାନଙ୍କ ବ୍ୟତୀତ ବସନ୍ତ ପଣ୍ଡାଙ୍କ ନାମ ବି ବିଚାରରେ ଅଛି। କାରଣ ତାଙ୍କ ନେତୃତ୍ୱରେ ଦଳ ୨୦୧୯ ନିର୍ବାଚନରେ ବେଶ୍ ଭଲ କରିଛି। ତାଛଡ଼ା ଲୋକସଭା ସାଂସଦ ହୋଇଥିବା ଦୃଷ୍ଟିରୁ ଦଳର କାର୍ଯ୍ୟ ତଦାରଖ କରିବାରେ କୌଣସି ଅସୁବିଧା ହେବନାହିଁ ବୋଲି ଯୁକ୍ତି କରାଯାଉଛି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ସବୁ କିଛି କେନ୍ଦ୍ରୀୟ ନେତୃତ୍ୱ ଉପରେ ନିର୍ଭର କରିବ ଓ ସେଠାରେ ଯାହାଙ୍କ ନାମରେ ମୋହର ବସିବ ସେ ହିଁ ସଭାପତି ପଦ ଅଳଙ୍କୃତ କରିବେ।
ହେଲେ ଦଳର ଅନ୍ୟ ଏକ ଗୋଷ୍ଠୀର ମତ ହେଉଛି ଉପକୂଳ ଓଡିଶାର କେହି ଜଣେ ରାଜ୍ୟ ସଭାପତି ହେବା ନିହାତି ଆବଶ୍ୟକ। ଓଡିଶା ବିଜେପିର ବିଗତ ଇତିହାସକୁ ଯଦି ଦେଖାଯାଏ ଅଧିକାଂଶ ସଭାପତି ପଶ୍ଚିମ ଓଡିଶାରୁ ହିଁ ଆସିଛନ୍ତି। ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା ହିଁ ଦଳର ସଭାପତି ରହି ଆସିଛନ୍ତି।
ଯେହେତୁ ଦଳ ଏଥର ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିଛି,ଏହି ଅଞ୍ଚଳରୁ ହିଁ କେହି ଜଣେ ସଭାପତି ହେବା ଠିକ୍। କିନ୍ତୁ ଉପକୂଳ ଓଡିଶାରୁ ଯଦି କେହି ଜଣେ ସଭାପତି ହୁଅନ୍ତି ଏହି ଜିଲ୍ଲାମାନଙ୍କରେ ଦଳ ପଶିପାରିବ ଓ ନିଜର ସ୍ଥିତିକୁ ସୁଦୃଢ଼ କରିପାରିବ ବୋଲି ମତ ପ୍ରକାଶ ପାଇଛି।

Comment