ଓଡ଼ିଶାଲାଇଭ ବ୍ୟୁରୋ

ବସ୍ତିରେ ଜନ୍ମ, ବସ୍ତିରେ ପାଠପଢ଼ା କିନ୍ତୁ ସଫଳତା ଏସବୁଠୁ ଅନେକ ବେଶି।

ସମସ୍ତଙ୍କର ଶୁଭ ହେବ ସମସ୍ତଙ୍କ ଭଲ ହେବ ଭାବି ବାପା ମା ନାଁ ଦେଇଥିଲେ ଶୁଭଶ୍ରୀ। ସେ କେବଳ ନିଜ ବାପା ମାଙ୍କ ଲାଗି ନୁହଁ ବରଂ ନିଜ ବସ୍ତି, ପରିବାର ଲାଗି ଏବେ ପ୍ରେରଣା ଓ ଖୁସି ଆଣିଦେଇଛନ୍ତି। ସେ ହେଉଛନ୍ତି ଏଥର ଯୁକ୍ତ ୨ ବିଜ୍ଞାନରେ ସେକେଣ୍ଡ ଟପ୍ପର ହୋଇଥିବା ଶୁଭଶ୍ରୀ ମହାରଣା। ଶୁଭଶ୍ରୀ ଗରିବିର ବିଜୟଧ୍ଵଜା ଉଡ଼ାଇଛନ୍ତି ବୋଲି ଆମେ କହିପାରିବା।

ପିଲାଟିବେଳୁ ଅଭାବ ଅନଟନକୁ ଅତି ପାଖରୁ ଦେଖିଛନ୍ତି ଶୁଭଶ୍ରୀ। ବାପା ଭିନ୍ନକ୍ଷମ ହୋଇଥିବା ବେଳେ ଘରେ ଦୁଇ ଓଳି ଚୁଲି ଜଳିବା କଷ୍ଟ। ଓଳିଏ ଖାଇଲେ ଆର ଓଳିକୁ କଣ ରୋଷେଇ ହେବ ତା ଭାବିବାକୁ ପଡ଼ିଥାଏ। ଏହାରି ଭିତରେ ଶୁଭଶ୍ରୀ ସଫଳ ହୋଇଛନ୍ତି। ସେ ସାରା ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ମାତ୍ର ଗୋଟିଏ ମାର୍କରୁ ସେ ଟପର ହେବାରୁ ରହିଯାଇଛନ୍ତି।

ତାଙ୍କ କାହାଣୀ ଆଜି ସମସ୍ତଙ୍କ ଲାଗି ଏକ ପ୍ରେରଣା ଯେଉଁମାନେ ବି ଭାବୁଥିବେ ଅଭାବ ଅନଟନ ସଫଳତା ରାସ୍ତାରେ ବାଧକ ସାଜିଥାଏ ସେମାନଙ୍କ ଲାଗି ଏହି କାହାଣୀ ଶୁଣିବା ନିଶ୍ଚିତ ଦରକାର। କାରଣ ସେ ସମସ୍ତଙ୍କ ଲାଗି ଶୁଭଶ୍ରୀ ଆଜି ଉଦାହରଣ।

ବସ୍ତିର ଜୀବନ ଓ ପରିବାର ଅଭାବ ଭିତରେ ସେ କେବେ ବି ନିଜ ସ୍ବପ୍ନକୁ ମରିଯିବାକୁ ଦେଇନାହାନ୍ତି କି ନିଜେ ଭାଙ୍ଗି ପଡ଼ିନାହାନ୍ତି। ତାଙ୍କର ଦୃଢ ଇଛାଶକ୍ତି ଓ ବାପା ମାଙ୍କ ପ୍ରେରଣା ପାଇ ସେ ଆଜି ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛନ୍ତି।

ଇଛା ଥିଲେ ବି ମୁଁ ଅଧିକ ସମୟ ପଢ଼ିପାରେ ନାହିଁ

ଘରେ ସବୁ ସୁବିଧା ନଥିବାରୁ ଅଧିକ ସମୟ ପଢ଼ିପାରନ୍ତି ନାହିଁ ଶୁଭଶ୍ରୀ। କଲେଜ ବ୍ୟତିତ ସେ ମାତ୍ର 5ରୁ6 ଘଣ୍ଟା ପ୍ରତିଦିନ ପରିଶ୍ରମ କରିଥାନ୍ତି ବୋଲି କହିଛନ୍ତି। ଯେତେବେଳେ ପରୀକ୍ଷା ପାଖେଇ ଆସିଲା ସେତେବେଳେ ଟିକେ ଅଧିକ ସମୟ ପାଠ ପଢ଼ୁଥିବା କହିଛନ୍ତି।

ଏହି ସଫଳତା ପାଇଁ ପ୍ରତିଟି ସମୟ ମୋ ପାଇଁ କଷ୍ଟ ଥିଲା

ଶୁଭଶ୍ରୀ କୁହନ୍ତି କି ଅନେକ କଷ୍ଟ କରିବାକୁ ପଡ଼ିଛି ତାଙ୍କୁ ଏହି ସଫଳତା ପାଇବା ଲାଗି। ଗୋଟିଏ ବଖରା ଘରେ ସେ ନିଜ ସ୍ଵପ୍ନକୁ ସାକାର କରିବା ଲାଗି ନିଜକୁ ପ୍ରସ୍ତୁତ କରୁଥିଲେ। କିଛି ସ୍ଵେଛାସେବୀ ଅନୁଷ୍ଠାନ ତାଙ୍କୁ ସହଯୋଗର ହାତ ବଢ଼ାଇବା ଦ୍ଵାରା ତାଙ୍କୁ ଅନେକ ସହାୟକ ହୋଇଥିବା ସେ କହିଛନ୍ତି।

୫ବର୍ଷ ହେବ ବାପା ଭିନ୍ନକ୍ଷମ

ଶୁଭଶ୍ରୀଙ୍କ ବାପା ୫ହେବ ଭିନ୍ନକ୍ଷମ। ଏକ ଦୁର୍ଘଟଣାରେ ତାଙ୍କର ଦୁଇ ଗୋଡ଼ ନଷ୍ଟ ହୋଇଯାଇଛି। ତେଣୁ ସେ ରୋଜଗାର କରିବା ସମ୍ଭବ ହୋଇପାରୁନାହିଁ। ବାପାଙ୍କର ସବୁକିଛି ଦେଖାଶୁଣା ଶୁଭଶ୍ରୀଙ୍କ ମା ହିଁ କରିଥାନ୍ତି। ଶୁଭଶ୍ରୀଙ୍କ ଜଣେ ଭାଇ ଅଛନ୍ତି ସେ ଗ୍ରାଜୁଏସନ ପରେ ଏବେ ଚାକିରି ଖୋଜୁଛନ୍ତି।

ମୁଁ ଭବିଷ୍ୟତରେ ଜଣେ ଡାକ୍ତର ହେବି – ଶୁଭଶ୍ରୀ

ମାଟ୍ରିକରେ ୯୨ ପ୍ରତିଶତ ଓ ଯୁକ୍ତଦୁଇ ବିଜ୍ଞାରେ ତାହାଠୁ ଅଧିକ ପ୍ରତିଶତ ମାର୍କ ରଖିଛନ୍ତି ଶୁଭଶ୍ରୀ। ଏହା ପରେ ଅନେକ ସ୍ଥାନରୁ ତାଙ୍କୁ ଏବେ ପ୍ରେରଣା ଓ ଶୁଭେଛା ମିଳୁଛି। ଏହି ସଫଳତା ପରେ ଆଗକୁ ଏମ୍ସ ପ୍ରବେଶିକା ପରୀକ୍ଷା ଦେଇ ଡାକ୍ତରୀ ପାଠ ପଢ଼ି ଜଣେ ଭଲ ଡାକ୍ତର ହେବାକୁ ଇଛା ରଖିଛନ୍ତି ଶୁଭଶ୍ରୀ। ଡାକ୍ତର ହେବା ଲାଗି ସେ ବାପାଙ୍କଠୁ ପ୍ରେରଣା ପାଇଥିବା କହିଛନ୍ତି।

ଓଡ଼ିଶାଲାଇଭ ପରିବାର ତରଫରୁ ବି ଆମର ଏଇଆ କାମନା ରହିବ ଶୁଭଶ୍ରୀଙ୍କୁ ତାଙ୍କ ଜୀବନରେ ପ୍ରତିଟି ଖୁସି ମିଳୁ ଏବଂ ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହୋଇ ରୋଗୀସେବା କରନ୍ତୁ।

Comment