ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କଠୁଆ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ।

ଗତ ବର୍ଷ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ଜମ୍ମୁ-କଶ୍ମୀରର କଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ରାୟ ଆଜି ଶୁଣାଣି ହୋଇଛି। ଏହି ଲୋମଟାଙ୍କୁରା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୬ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି।

ଏହାସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦିଆଯାଇଛି। ଆଜୀବନ ଜେଲ୍ ଦଣ୍ଡ ପାଇଥିବା ଅଭିଯୁକ୍ତମାନେ ହେଲେ ସାଞ୍ଝି ରାମ, ଦୀପକ ଖଜୁରିଆ ଏବଂ ପରବେଶ। ସେହିପରି ଅନ୍ୟ ୩ ଅଭିଯୁକ୍ତ ତଲକ ରାଜ, ଆନନ୍ଦ ଦତ୍ତ, ସୁରେନ୍ଦ୍ର କୁମାରଙ୍କୁ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦିଆଯାଇଛି।

କଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ। ପଞ୍ଜାବର ପଠାନକୋଟ୍ କୋର୍ଟରେ ମାମଲା ଶୁଣାଣି ହୋଇଥିଲା।

କଠୁଆ ଗଣଦୁଷ୍କର୍ମ ମାମଲାର ଶୁଣାଣି ଜମ୍ମୁ-କଶ୍ମୀର ବାହାରେ କରିବାକୁ ସୁପ୍ରିମକୋର୍ଟରେ ପୀଡ଼ିତାଙ୍କ ବାପା ଆବେଦନ କରିଥିଲେ। ଏହାସହ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ନିବେଦନ କରିଥିଲେ। ଆବେଦନକୁ ବିଚାର କରି ସୁପ୍ରିମକୋର୍ଟ ପଞ୍ଜାବର ପଠାନକୋଟ୍ କୋର୍ଟରେ ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ତଦନ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।

୨୦୧୮ ଜାନୁଆରି ୧୦ରେ ଏହି ଲୋମ ହର୍ଷଣକାରୀ ଘଟଣା ଘଟିଥିଲା। ପୀଡ଼ିତା ଚେଳି ଚରାଇବାକୁ ଯାଇଥିବା ବେଳେ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ପପୀଡ଼ିତାଙ୍କର କୌଣସି ପତ୍ତା ମିଳି ନଥିଲା। ୭ ଦିନ ପରେ ପୀଡ଼ିତାଙ୍କର ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।

ମେଡିକାଲ ରିପୋର୍ଟରୁ ଜଣାପଡ଼ିଥିଲା ଯେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି। ଏହାକୁ ନେଇ ସାରା ଦେଶରେ ଝଡ଼ ବହିଥିଲା।

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ନେତା, ଜନତା ରାଜରାସ୍ତାକୁ ଓହ୍ଲାଇଥିଲେ।

LEAVE A REPLY

Please enter your comment!
Please enter your name here