ଓଡ଼ିଶାଲାଇଭ ବ୍ୟୁରୋ

ଜୀବନ ଯୁଦ୍ଧରେ ହାରିଗଲେ ଗୋବିନ୍ଦପାଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତା।

ନ୍ୟାୟକୁ ଚାହିଁ ଚାହିଁ ଶେଷରେ ଆଖି ବୁଜିଲେ ଗୋବିନ୍ଦପାଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତା। ଗତ ଏପ୍ରିଲ ୧୩ ତାରିଖରୁ ଭୁବନେଶ୍ୱର ଏମ୍‌ସର ଆଇସିୟୁରେ ଚିକିତ୍ସାଧିନ ଥିଲେ ପୀଡ଼ିତା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଛି। ତେବେ ପୀଡ଼ିତାଙ୍କ ସହ ଯେଉଁ ଲୋମଟାଙ୍କୁରା ଘଟଣା ଘଟିଥିଲା ତାର ପରିଣତି କ’ଣ ହେବ ଏବଂ ଦୋଷୀମାନେ ଦଣ୍ଡ ପାଇବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

୭ ନଭେମ୍ବର ୨୦୧୭ର ଘଟଣା। ଗୋବିନ୍ଦପାଲ୍ଲୀର ଏସ୍‌ଏସ୍‌ଡି ସାଇନ୍ସ କଲେଜରେ +୨ ସାଇନ୍ସ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ପୀଡ଼ିତା। ସେଦିନ ଅପରାହ୍ନରେ ସେ କ୍ଲାସ୍ ସାରି ଆସୁଥିବା ବେଳେ ୩ ଜଣ ଅଣ ଛାତ୍ର ତାଙ୍କୁ ଜୋର୍ ଜବରଦସ୍ତ କଲେଜର ରୋଷେଇଘରକୁ ଉଠାଇ ନେଇଥିଲେ। ସେମାନେ ସେଠାରେ ତାଙ୍କୁ ଧମକଚମକ ଦେଇ ଏବଂ ମାରଣାସ୍ତ୍ର ଦେଖାଇ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ସାମିଲ୍ ହୋଇଥିଲେ ସମ୍ପୃକ୍ତ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ଅଜୟ କୁମାର ସୂତାର।

ତେବେ ଅପରାଧୀମାନଙ୍କ ଡର ଏବଂ ସାମାଜିକ ଲୋକଲଜ୍ୟା ଭୟରେ ମୁକ୍ତା ଏହି ଘଟଣା ହଠାତ୍ କାହାକୁ ଜଣାଇବାକୁ ସାହସ କରିପାରିନଥିଲେ। ତେବେ ତାହା ସେ ନିଜ ଭିତରେ ଗୋଟିଏ ଦିନ ବି ଚାପି ରଖିପାରିନଥିଲେ। ଘଟଣାର ପରଦିନ ଅର୍ଥାତ୍ ୮ ନଭେମ୍ବର ୨୦୧୭ରେ ସେ ତାଙ୍କ ମା’ଙ୍କୁ ପୂରା ଘଟଣା ବର୍ଣ୍ଣନା କରିଥିଲେ। ଏ ସମ୍ପର୍କରେ ୯ ତାରିଖ ଦିନ ସେମାନେ ମାଥିଲି ଥାନାରେ ଏତାଲା ଦେଇଥିଲେ।

ପୋଲିସ ମାମଲା ରୁଜୁ କରିଥିଲା, କିନ୍ତୁ କୌଣସି ପଦକ୍ଷେପ ନେଇ ନଥିଲା। ମାମଲାକୁ ଚାପି ଦେବା ପାଇଁ ଉଦ୍ୟମ କରିଥିଲା ପୋଲିସ। ପୀଡ଼ିତାଙ୍‌କ ପରିବାର ମାଲକାନଗିରି ଏଡିଜେ କୋର୍ଟରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

ପରିସ୍ଥିତି ଚାପରେ ପଡ଼ି ଶେଷରେ ପୀଡ଼ିତା ଜରକ ଭୁବନେଶ୍ୱର ଆସିଥିଲେ। ଏଠାରେ ସେ ରହି ଆଇଏଏସ୍ କୋଚିଂ ନେଉଥିଲେ। ଚଳିତ ବର୍ଷ ସେ ଯୁକ୍ତ ୩ରେ ନାମ ଲେଖାଇବାକୁ ଯୋଜନା କରିଥିଲେ। ହେଲେ ଗତ ଏପ୍ରିଲ ୧୩ ତାରିଖରେ ପୀଡ଼ିତା ନିଜ ମାଉସୀ ଘରକୁ ଆସିଥିବା ବେଳେ ଗାଧୁଆ ଘରେ ନିଜ ବେକରେ ଚୁନି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଆଜି ସେ ଆଖି ବୁଜିଛନ୍ତି।

ଗୋବିନ୍ଦପାଲ୍ଲୀର ଏହି ଲୋମଟାଙ୍କୁରା ଗଣଦୁଷ୍କର୍ମ ଘଟଣାକୁ ନେଇ ‘ଓଡ଼ିଶାଲାଇଭ୍’ ଟିମ୍ ପକ୍ଷରୁ ଗତ ଏପ୍ରିଲ ୧୭ ତାରିଖରେ ଏକ ଅନୁସନ୍ଧାନମୂଳକ ଖବର ପ୍ରସ୍ତୁତ କରାଯାଇଥିଲା।

ଗୋବିନ୍ଦପାଲ୍ଲୀ ଗଣଦୁଷ୍କର୍ମ ମାମଲାର ଅଧିକ ଖବର ପଢ଼ନ୍ତୁ : –

କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ମାଲକାନଗିରି ଗୋବିନ୍ଦପାଲ୍ଲୀର ଗଣଦୁଷ୍କର୍ମ ପୀଡ଼ିତା?

Comment